jayashree

ତୀରନ୍ଦାଜ୍ ପାୟଲ ନାଗ ପାଇବେ ଉଂଦେର୍ ସମ୍ମାନ -ଲିଙ୍ଗରାଜ ସାହୁଙ୍କୁ ଶିକ୍ଷା ସମ୍ମାନ ଓ ଗୋଲକ ବିହାରୀ ବଚ୍ଛାଙ୍କୁ ମରଣୋତ୍ତର କଳା ସମ୍ମାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଷଲାଡ ଯୁବା ମଂଚ୍, ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ହେବାକୁ ଥିବା ନୂଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅବସରରେ ପ୍ରଦାନ କରିବାକୁ ଥିବା ସମ୍ମାନ ସୂଚୀ ଘୋଷଣା କରିଛି । ନିକଟରେ ବ୍ୟାଙ୍କକ୍ ଆୟୋଜିତ ବିଶ୍ୱ ପାରା ତିରନ୍ଦାଜ ପ୍ରତିଯୋଗିତାରେ ବିଶ୍ୱ ନମ୍ବର ଏକ ରେଙ୍କିଙ୍ଗ୍‌ ଧାରୀ ଶୀତଲ ଦେବୀକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିବା ଏ ଅଞ୍ଚଳର ଗର୍ବ ଓ ଗୌରବ ପାୟଲ ନାଗକୁ ଚଳିତ ବର୍ଷ ଉଂଦେର୍ ସମ୍ମାନ ୨୦୨୬ ପ୍ରଦାନ କାରିବାକୁ ଘୋଷଣା କରିଛି । ଏହା ସହିତ ଗାଁ’ର ପ୍ରଥମ ଶିକ୍ଷକ ତଥା ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାରରେ ନିଜ ଜୀବନ ଉତ୍ସର୍ଗ କରିଦେଇଥିବା ଲିଙ୍ଗରାଜ ସାହୁଙ୍କୁ ଭୁଷଲାଡ ଶିକ୍ଷା ସମ୍ମାନରେ ସମ୍ମାନିତ କରିବାକୁ ସ୍ଥିର କରାଯାଇଛି । ଏହି କ୍ରମରେ ଗୋଲକ ବିହାରୀ ବଚ୍ଛାଙ୍କୁ ତାଙ୍କ ଚିତ୍ରଶିଳ୍ପ, ବାସ୍ତୁକଳା, ଗୀତ ରଚନା ଆଦି କ୍ଷେତ୍ରରେ ନିପୁଣତାକୁ ସ୍ମରଣ କରି ମରଣୋତ୍ତର ଭାବେ ଭୁଷଲାଡ କଳା ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି । ଏହା ସହିତ ଦେଶ ପାଇଁ ନିଜ ଜୀବନ ଢାଳି ଦେଉଥିବା ଏ ଅଞ୍ଚଳର ବୀର ସୈନିକ ମାନଙ୍କୁ, ନବନିଯୁକ୍ତ ଶିକ୍ଷକମାନଙ୍କୁ ତଥା ଅନ୍ୟାନ୍ୟ କୃତି ଯୁବକଯୁବତୀ ମାନଙ୍କୁ ସମ୍ମାନିତ କାରିବାକୁ ମନସ୍ତ କରିଛି । ଏହି କ୍ରମରେ ଏଇ ମାଟିରେ ଦୁଇଟି ନଦୀର ମିଲନ ହୋଇ ଉଂଦେର୍ ନଦୀର ସୃଷ୍ଟିକୁ ନିଜ ପରିଚୟ ମଣି, ‘ଉଂଦେର୍’ ନାଁରେ ଗୋଟେ କୋଶଲି ସାହିତ୍ୟ ପତ୍ରିକା ପ୍ରକାଶିତ କରିବା ପାଇଁ ମଧ୍ୟ ସ୍ଥିର କରିଛି । କାର୍ଯ୍ୟକ୍ରମରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଓ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟବକ୍ତା ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବେଶ୍ୱର ଭୋଇ, ଶଙ୍କର ବେହେରା ବଜାଶାଳ ନୃତ୍ୟ ଓ ସାନବଡ ଘୁଡକା ଦଳକୁ ନିମନ୍ତ୍ରଣ ରହିଛି ବୋଲି ପରିଚାଳନା କମିଟି ତରଫରୁ ମଂଚର ମୁଖପାତ୍ର ମତ ରଖିଛନ୍ତି ।

Leave A Reply

Your email address will not be published.