jayashree

ଆଶାତୀତ ବୃଦ୍ଧି ହେଲା ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳପତ୍ତନକୁ ନେଇ ଅନେକ ଆଶଙ୍କା ପ୍ରକାଶ କରି ଚାଲିଥିବା ବେଳେ ବିଗତ ତିନିଦିନର ବର୍ଷା ଜଳଭଣ୍ଡାରର ସ୍ଥିତିକୁ ସୁଦୃଢ କରିସାରିଛି । ସୂଚନାରୁ ପ୍ରକାଶ ଯେ, ଅନେକ ଦିନର ପ୍ରତିକ୍ଷା ପରେ ଗତ ୨୨ତାରିଖ ଦିନଜଳ ଭଣ୍ଡାରର ଜଳପତ୍ତନ ୫୦ପ୍ରତିଶତକୁ ପହଞ୍ଚି ସାରିଥିବା ସତ୍ତ୍ୱେ ବିଭାଗୀୟ ଯନ୍ତ୍ରୀଙ୍କ ସମେତ ଚାଷୀଙ୍କ ମଧ୍ୟରେ ପାଣିକୁ ନେଇ ଆଶଙ୍କା ବଳବତ୍ତର ରହିଥିଲା । ଦିନକ ପରେ ଅର୍ଥାତ ୨୩ ତାରିଖ ଦିନର ପ୍ରବଳ ବର୍ଷା ଜଳଭଣ୍ଡାରର ଜଳପତ୍ତନରେ ୨୧.୨୧ ପ୍ରତିଶତ ବୃଦ୍ଧି ସହ ୬୩୮.୩୦ମିଟରରେ ପହଞ୍ଚି ସମସ୍ତଙ୍କ ମନରେ ଏକ ନୂତନ ଆଶା ସଂଚାର କରିଥିଲା । ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୧,୪୮, ୫୫୦ହେକ୍ଟର ମିଟର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧,୦୫, ୯୨୪ ହେକ୍ଟର ମିଟରରେ ପହଞ୍ଚି ସାରିଥିବା ସୂଚନାରୁ ପ୍ରକାଶ ପାଇଛି । ଜଳଭଣ୍ଡାରର ଗର୍ଭ ଭିତରେ କପୁର, ମୂରାନ, ପୋଡାଗଡ ଓ ଇନ୍ଦ୍ରାବତୀ ଭଳି ଚିରସ୍ରୋତା ନଦୀମାନଙ୍କ ଶହ ଶହ ଝରଣା ମାନଙ୍କର ପାଣି ପ୍ରବେଶ କରୁଥିବା ବେଳେ ମଙ୍ଗଳବାର ସକାଳୁ ଜଳଭଣ୍ଡାର ଗର୍ଭକୁ ୮୫୪କୁ ମାକ୍ସ ଜଳ ପଶୁ ଥିବାର ରେକର୍ଡ କରାଯାଇଛି । ଆଉ ଗୋଟିଏ ବଡ଼ ଧରଣର ବର୍ଷା ହେଲେ ଜଳଭଣ୍ଡାର ତାର ସର୍ବୋଚ୍ଚ ସୀମା ୬୪୨ ମିଟରକୁ ଛୁଇଁବାର ଆଶା ଉଜ୍ୱଳ ଦେଖା ଦେଲାଣି ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.