
ବେଲପଡା, (କେପିଏନ୍ଏସ୍) : ବେଲପଡା ବ୍ଲକର ସମ୍ମିଳନୀ କକ୍ଷଠାରେ ଅରୁଣା, ଆଇସିଡିଏସ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ବଲାଙ୍ଗିରର ଆୟୋଜନ କ୍ରମେ ବ୍ଲକସ୍ତରୀୟ ଟାସ୍କ ଫୋର୍ସ କମିଟି, ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ, ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ବେଲପଡା ବ୍ଲକର ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ଆଶୁତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ତାଲିମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିଡିପିଓ ବିଦ୍ୟୁତ୍ ପ୍ରଭା ନାଗ କହିଲେ ଶିଶୁମାନଙ୍କ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଜରୁରୀକାଳୀନ ଭିତ୍ତିରେ ଗ୍ରାମପଞ୍ଚାୟତ ବିକାଶ ପାଣ୍ଠିରୁ ଶତକଡା ୫ ପ୍ରତିଶତ ସହ ଅର୍ଥକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ କାମନା କରିଥିଲେ । ଏହି ଅବସରରେ ସିଡିପିଓ କହିଲେ ବାଲ୍ୟ ବିବାହ ବନ୍ଦ କରିବା, ବାଲ୍ୟ ବିବାହ ଅଧିକାରୀ ମାନେ ପଞ୍ଚାୟତ ସ୍ତରରେ ବୋର୍ଡ ଲଗାଇବା, ବେଟି ବଚାଓ ବେଟି ପଢ଼ାଓ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ଵାଗତ ଜଣାଇ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍, ଶିଶୁ ଶ୍ରମିକ ନିରୋଧ ଆଇନ, ପିସିପି ଏନଡିଟି ଆଇନ୍ ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଞ୍ଚ ଓ ଇଓ ମାନଙ୍କର ଭୂମିକା, ଦାୟିତ୍ଵ ଉପରେ ଜଣାଇଥିଲେ । ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ଅନ୍ ଟାଏଡ ପାଣ୍ଠିର ୫ % ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଠୀ ଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବେଲପଡା ଥାନାର ଏଏସଆଇ ଭଜମନ ବିଶି ବାଲ୍ୟ ବିବାହ ଆଇନ ଉପରେ ମତାମତ ଦେଇଥିଲେ । ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ଚତୁଃର୍ଭୁଜ ମିର୍ଦ୍ଧା କହିଲେ ଅଧାରୁ ପାଠ ପଢା ଛାଡିଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏନ୍ ଆଇ ଓ ଏସ, ଏସ ଆଇ ଓ ଏସ ମଧ୍ୟରେ ନାମ ଲେଖାଇବାକୁ ପରାମର୍ଶ ପ୍ରଦାନ କରିଥିଲେ । ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁବ୍ରତ ପାଣ୍ଡେ ଅପ୍ରାପ୍ତ ବୟସ୍କା ଗର୍ଭବତୀ ହୋଇ ମାତୃତ୍ୱ ଲାଭ କରିବା ନିଜ ପାଇଁ ସ୍ୱାସ୍ଥ୍ୟ ହାନି, ଅଯଥା ପାରିବାରିକ ବୋଝ, ନବଜାତକର ଯତ୍ନ ନେବା ସମସ୍ୟା ଉପୁଜୁ ଥିବା ବେଳେ ଜନ୍ମିତ ଶିଶୁର ମଧ୍ୟ କ୍ଷତି ହୋଇଥାଏ ବୋଲି ବୁଝାଇଥିଲେ । ଚାଇଲ୍ଡ ହେଲ୍ପ ଲାଇନ୍ର ସୁଦନ ଖମାରୀ, ଶୁଭମ୍ ଜେନା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବୋଧ ପଧାନ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିଭାଗର ବରିଷ୍ଠ କିରାଣୀ କାମଦେବ ଭୋଇ ସଫଳ ଆୟୋଜନ କରିଥିଲେ । ପରିଶେଷରେ ଅରୁଣ ଖୁଆସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମକୁ ଶେଷ କରିଥିଲେ ।