jayashree

ଶ୍ରାବଣ ଶେଷ ସୋମବାରରେ ହରିଶଙ୍କରରେ ଭକ୍ତଙ୍କ ଜନସମୁଦ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଭକ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା । ଭୋଲେବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଆଜି ହରିଶଙ୍କରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସକାଳୁ ହିଁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ହରିଶଙ୍କରରେ ପହଞ୍ଚି ଶ୍ରଦ୍ଧା ଓ ଭକ୍ତିର ସହ ମହାଦେବଙ୍କ ଉପରେ ପବିତ୍ର ଜଳ ଢାଳିଥିଲେ । ଭୋଲେନାଥଙ୍କ ଦର୍ଶନ କରି ନିଜ ନିଜ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିବା ସହ ଭକ୍ତମାନେ ଧାର୍ମିକ ଭାବାବେଗରେ ବୁଡ଼ି ରହିଥିଲେ । ହର ହର ମହାଦେବ ଧ୍ୱନିରେ ସମଗ୍ର ହରିଶଙ୍କର ପରିବେଶ ମୁଖରିତ ହୋଇଉଠିଥିଲା । ଭକ୍ତଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ସହ ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ ପାଇଁ ପୋଲିସ କର୍ମଚାରୀମାନେ ସଜାଗ ରହି ବିଭିନ୍ନ ସ୍ଥାନରେ ନିୟୋଜିତ ଥିବା ଦେଖାଯାଇଥିଲା । ଶ୍ରାବଣର ଶେଷ ସୋମବାରରେ ହରିଶଙ୍କରର ଏହି ଭକ୍ତିମୟ ଜନସମାଗମ ଧାର୍ମିକ ପରିବେଶକୁ ଆହୁରି ମନୋରମ ଓ ଆଧ୍ୟାତ୍ମିକ କରିଥିଲା ।

Leave A Reply

Your email address will not be published.