
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ଵେରବାହାଲ ସ୍କୁଲରେ ପ୍ରଧାନ ଶିକ୍ଷକ ହୃଷିକେଶ ବାଗଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷରୋପଣ ସଭା ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥବା ବେଳେ ମାଣ୍ଡୋସିଲ ସରପଞ୍ଚ ଓମ୍ ପ୍ରକାଶ ନାୟକ, ସିଆର୍ସିସି ବସୁଦେବ କୁମ୍ଭାର, ପୂର୍ବତନ ଏସ୍ଏମ୍ସି ସଭାପତି ବନବସ ସାହୁ ଓ ବର୍ତ୍ତମାନର ଏସ୍ଏମ୍ସି ସଭାପତି ସୁଶାନ୍ତ ଖୁମୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ଶ୍ରୀ ବାଗ ଗତ ୧୨ ବର୍ଷ ଧରି ଏହି ସ୍କୁଲ ଦ୍ୱାରା ହେଉଥିବା ବୃକ୍ଷରୋପଣ ଓ ତା’ର ସଫଳ ରୂପାୟନ ସଂପର୍କରେ ସୂଚନା ଦେଇଥିବା ବେଳେ ପୂର୍ବତନ ସ୍କୁଲ ସଭାପତି ଶ୍ରୀ ସାହୁ ଉତ୍କୃଷ୍ଟ ଶିକ୍ଷାଦାନ ଦ୍ଵାରା ସ୍କୁଲର ହେଉଥିବା ଉନ୍ନତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ପ୍ରସ୍ତାବିତ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଡୁମ୍ଵେରବାହାଲ ଗ୍ରାମରେ ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରପଞ୍ଚ ଶ୍ରୀ ନାୟକ ଓ ସିଆର୍ସିସି ଶ୍ରୀ କୁମ୍ଭାର ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ବୁଝାଇଥିବା ବେଳେ ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୁରୋହିତ ଅବାଧ ଗଛକଟାର କୁପରିଣାମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଫଳରେ ସାରା ଦେଶରେ ହେଉଥିବା ସଫଳ ବୃକ୍ଷରୋପଣ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ । ଆବଶ୍ୟକ ଯୋଗ୍ୟତା ମାନଦଣ୍ଡ ଥିଲେ ଡୁମ୍ଵେରବାହାଲ ଗ୍ରାମରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନକୁ କେହି ଅଟକାଇ ପାରିବେ ନାହିଁ ବୋଲି ଘୋଷଣା କରିବା ସହିତ ଡୁମ୍ଵେରବାହାଲ ନଦୀରେ ଥିବା ବ୍ରିଜଟି ଭାଙ୍ଗିଯାଇ ଜରାଜୀର୍ଣ୍ଣ ଅବସ୍ଥାରେ । ଏହା ଉପରେ ପ୍ରତିଦିନ ହଜାର ହଜାର ଜନସାଧାରଣ ଓ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଭାବେ ଯାତାୟାତ କରୁଥିବାରୁ ଏଠାରେ ଖୁବ ଶୀଘ୍ର ନୂତନ ବ୍ରିଜ ନିର୍ମାଣ ହେବ ବୋଲି ଶ୍ରୀ ପୁରୋହିତ ପ୍ରତିଶୃତି ଦେଇଥିଲେ । ସହକାରୀ ଶିକ୍ଷକ ଡେଜଲିଂ ଦନ୍ତା ସ୍ଵାଗତ ଭାଷଣ ଦେଇଥିବାବେଳେ ସୁଦାମ କନ୍ଧେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଗ୍ରାମ କମିଟି ସଭାପତି ତରଣୀସେନ ଷଡ଼ଙ୍ଗୀ, ରେଡ୍ଡୀ ଆଦିନାରାୟଣ ପ୍ରମୁଖ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ ସାଂସଦ ଶ୍ରୀ ପୁରୋହିତ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ଏକ ଶୋଭାଯାତ୍ରାରେ ଯାଇ ଖେଳ ପଡିଆ ପାର୍ଶ୍ଵରେ ବୃକ୍ଷ ରୋପଣ କରିଥିଲେ ।