jayashree

ମାଙ୍କଡ଼ ମାନଙ୍କର ଉପଦ୍ରବରେ ଛାତ ଉପରୁ ପଡ଼ି ଯୁବତୀ ଜଣକ ଗୁରୁତର : ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ମାଙ୍କଡ଼ ମାନଙ୍କର ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ବହୁ ବାର ଜନସାଧାରଣଙ୍କର ଦାବୀ ହୋଇ ଆସିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅବା ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିନଥିବା ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏ ଦିଗରେ ଜରୁରୀ ପଦକ୍ଷେପ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ସୋମବାର ସକାଳେ ସୁଶ୍ରୀ କେ. ତପସ୍ୱିନୀ ନାୟକ (୩୬) ମାଙ୍କଡ଼ ମାନଙ୍କର ଉପଦ୍ରବରେ ଛାତ ଉପରୁ ତଳ ଘର ଛାତ ଉପରେ ପଡ଼ି ଗୁରୁତର ଆହତ ହୋଇଛନ୍ତି । ସେ ଚାଇଲ୍ଡ ପ୍ରୋଟେକସନ୍ ୟୁନିଟରେ କାର୍ଯ୍ୟରତ ଜଣେ ମହିଳା ବୋଲି ଜଣାଯାଇଛି । ଗୁରୁତର ଆହତ ଜଣକ ମହିଳା ଛତ୍ରପୁର ମ୍ୟୁନିସିପାଲିଟୀ ଅଞ୍ଚଳ ଦେବୀନଗର, ଦ୍ୱିତୀୟ ଲେନ୍‌ରେ ଗୋଟିଏ ଭଡ଼ା ଘରେ ମାତ୍ର ଦୁଇ ଦିନ ହେଲା ରହି ଆସୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଛାତ ଉପରେ ମାଙ୍କଡ଼ ଗୋଡ଼ାଇବାରୁ ସେ ଉପର ଛାତରୁ ତଳ ଛାତରେ ପଡ଼ି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅବସ୍ଥା ଗୁରୁତର ହେବାରୁ ଛତ୍ରପୁର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଞ୍ଚି ଗୁରୁତର ଆହତଙ୍କ ବିଷୟରେ ଅନୁଧ୍ୟାନ କରି ଡାକ୍ତରୀ ଟିମ୍‌ଙ୍କ ସହ କଲ୍ କରି କଥା ହୋଇ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମଧ୍ୟ ଏହି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରି ଗୁରୁତର ଆହତଙ୍କୁ ନେଇ ଉତ୍ତମ ଚିକିତ୍ସା ସେବା ଦିଗରେ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.