jayashree

ଜୟପାଟଣା ଅଞ୍ଚଳରେ ଆଯାଡ଼ିଦେଲା ୨୪୦ମି.ମି. ବର୍ଷା

  • ହାତୀ ନଦୀରେ ବନ୍ୟା ସ୍ଥିତି ଜୟପାଟଣାରେ

ଜୟପାଟଣା, (ଶେଷଦେବ ବେହେରା) : ଗତ ୨୪ଘଣ୍ଟା ମଧ୍ୟରେ ଜୟପାଟଣା ଅଞ୍ଚଳରେ ୨୪୦ ମିଲିମିଟର ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ହାତୀ ନଦୀ ଗର୍ଭରେ ବନ୍ୟା ଆଶଙ୍କା ଦେଖାଦେଇ ଥିବା ବେଳେ ଜୟପାଟଣା ଅଞ୍ଚଳରେ କିଛି ସମୟ ପାଇଁ ଜୀବନ ଯାତ୍ରା ଅସମ୍ଭାଳ ହେବା ସହିତ ଚାଷ ଜମି ଓ ତଳି ଅଞ୍ଚଳ ଜଳ ମଗ୍ନ ହୋଇଥିବା ଦେଖିବାକୁ ମିଳିଥିଲା । ଗତ ଚବିଶ ଘଣ୍ଟା ମଧ୍ୟରେ ଜୟପାଟଣା ଅଞ୍ଚଳରେ ୨୪୦ମିଲି ମିଟର ବର୍ଷା ସାଂଗକୁ ଥୁଆମୂଳ ରାମପୁର ଅଞ୍ଚଳରେ ହୋଇଥିବା ସର୍ବାଧିକ ୩୪୫ ମିଲିମିଟର ବର୍ଷା ପ୍ରଭାବରେ ସେହି ଅଞ୍ଚଳରୁ ଆସୁଥିବା ବନ୍ୟା ପାଣି ହାତୀନଦୀ ଗର୍ଭରେ ପଶି ଅନେକ ଦିନ ପରେ ହାତୀନଦୀ ଗର୍ଭରେ ଏକ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିବା ଆଲୋଚନା ହେଉଛି । ବଡିଭୋରରୁ ମଙ୍ଗଳପୁର ଆନିକଟ ମଧ୍ୟକୁ ବନ୍ୟା ପାଣି ପଶି ସର୍ବୋଚ୍ଚ ସୀମା ୨୬୫ ମିଟର ଅତିକ୍ରମ କଲା ପରେ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ଚାରିଟି ଫାଟକ ଖୋଲି ନଦୀ ଗର୍ଭକୁ ୪୧୨ କ୍ୟୁମେକ୍ସ ବନ୍ୟା ପାଣି ନଦୀ ଗର୍ଭକୁ ଛାଡ଼ି ଥିବାର ସୁଚନା ମିଳିଛି । ବନ୍ୟା ଦ୍ୱାରା କୌଣସି କ୍ଷୟକ୍ଷତିର ସୁଚନା ମିଳି ନ ଥିବା ବେଳେ ଜୟପାଟଣା ସହରର ତଳି ଅଞ୍ଚଳରେ ଥିବା ପରଦେଶୀପଡା, ତୁଳସୀଚଉଁରା ପଡା, ସାଗୁନଭାଡ଼ି ପଡାର କିଛି ଘରେ ପାଣି ପଶିଥିବା ଫଳରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସହାୟତା କରିଥିବା ସୁଚନା ମିଳିଛି । ଲଗାଣ ବର୍ଷାରେ କିଛି ଲୋକଙ୍କ ଘର ଭାଙ୍ଗି ଥିବା ବେଳେ ରୁଆ ଧାନ ଓ ପନିପରିବା ଚାଷ ପ୍ରଭାବିତ ହୋଇଥିବାର ସୁଚନା ମିଳିଛି । ଇନ୍ଦ୍ରାବତୀ ଜଳ ସେଚନ ବିଭାଗର ବରିଷ୍ଠ ଅଧିକାରୀ ଲଗାତାର ହାତୀ ଅନିକଟ ପାଖରେ ବନ୍ୟା ନିୟନ୍ତ୍ରଣ ପାଇଁ ରହିଥିବା ବେଳେ ଜୟପାଟଣା ବିଡିଓ ମଧ୍ୟ ସମସ୍ତ ପ୍ରତିକୂଳ ଅବସ୍ଥାରେ ମୁକାବିଲା ପାଇଁ ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରିଥିବା ସୁଚନା ମିଳିଛି । ବର୍ତ୍ତମାନ ବର୍ଷା ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାରୁ ବନ୍ୟା ଆଶଙ୍କା ଦୂର ହୋଇପାରେ ବୋଲି ଆଲୋଚନା ହେଉଛି । ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ସାଙ୍ଗରେ ଯୋଗାଯୋଗ କରିବାରୁ ବର୍ତ୍ତମାନ ମଙ୍ଗଳପୁର ଅନିକଟ ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ନଦୀ ଗର୍ଭକୁ ମାତ୍ର ୨୬୦ କ୍ୟୁମେକ୍ସ ପାଣି ଛଡ଼ା ଯାଉଥିବା ବେଳେ ବିଦ୍ୟୁତ ଉତ୍ପାଦନକୁ ସମ୍ପୂର୍ଣ୍ଣ ରଖିଥିବା ସୁଚନା ମିଳିଛି ।

Leave A Reply

Your email address will not be published.