
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ର ଏଫ୍ସିଆଇ ଛକ ନିକଟରେ ପୁଣି ଥରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ କ୍ଷୀର କୁମ୍ଭାର ନାମକ ପ୍ରାୟ ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଡୁଙ୍ଗୁରିପାଲି ବ୍ଲକ୍ର ସାଦପାଲି ଗ୍ରାମର କ୍ଷୀର କୁମ୍ଭାର କାମ ସାରି ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଏଫ୍ସିଆଇ ଛକ ନିକଟରେ ତାଙ୍କ ଗାଡ଼ି ଆଗରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ଠିକ୍ ସେହି ସମୟରେ ପଛରୁ ଆସୁଥିବା ଆଉ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ବରପାଲି-ଡୁଙ୍ଗୁରିପାଲି ମୁଖ୍ୟ ସଡ଼କକୁ ଅବରୋଧ କରି ରାସ୍ତାରୋକ କରିଛନ୍ତି । ଫଳରେ ଯାତାୟାତ ବ୍ୟାହତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି, କିଛି ଦିନ ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିଲା । ତେବେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଫ୍ସିଆଇ ଛକର ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, ରାସ୍ତାରୋକ କରିଥିବା ଲୋକଙ୍କ ଦାବି ଏବେ କଣ ରହିବ ଏବଂ ପ୍ରଶାସନ କି ପଦକ୍ଷେପ ନେବ, ତାହାକୁ ନେଇ ନଜର ରହିଛି ।