
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ନୂତନ ଭବିଷ୍ୟତ ନିର୍ମାଣର ସୁତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫୋଟ ଗ୍ରାଫି ଦିବସ ଉପଲକ୍ଷେ ୫ମ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ – ୨୦୨୬ ଆୟୋଜନ ହୋଇଥିଲା । ଦୀର୍ଘ ୪ ଦିନ ଧରି ଆୟୋଜିତ ଏହି ଉତ୍ସବରେ ପ୍ରତିଦିନ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଫଟୋ ଗ୍ରାଫରମାନେ ନିଜ ନିଜର ଆକର୍ଷଣୀୟ ଫଟୋ ଗୁଡିକୁ ପ୍ରଦର୍ଶନ କରିଥିଲେ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଏଥିରେ ଅଂଶ ଗ୍ରହଣ କରି ନିଜ କ୍ୟାମେରା ଲେନସରେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଉଠାଇଥିବା ଫଟୋ ସ୍ଥାନ ପାଇ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି । ସମଗ୍ର କନ୍ଧମାଳ ଜିଲ୍ଲାରୁ ଦ୍ୱିତୀୟ ଥର ପାଇଁ ବୁଲୁ ଜଣେ ମାତ୍ର ସମ୍ମାନିତ ହୋଇଥିବାରୁ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଚତୁର୍ଥ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ମଧ୍ୟ ସମ୍ମାନିତ ହେବା ସହ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଉପ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଶାସନର ସଠିକ ଫଟୋ ଉତ୍ତୋଳନ କରି ସମ୍ମାନିତ ହୋଇଥିଲେ । ଏନେଇ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।