jayashree

ଅଞ୍ଚଳ ମହାବିଦ୍ୟାଳୟରେ ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଓ ଇଂରାଜୀ ବିଭାଗ ତଥା ଆଇ.କ୍ୟୁ.ଏ.ସି.ର ମିଳିତ ଆନୁକୂଲ୍ୟରେ ‘ବ୍ୟକ୍ତିତ୍ୱର ବିକାଶ ଓ ଚରିତ୍ର ନିର୍ମାଣରେ ଗଙ୍ଗାଧର ସାହିତ୍ୟର ଭୂମିକା’ ଶୀର୍ଷକ ଏକ ପାଠଚକ୍ର ନୂତନ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଉମେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ, ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କାବ୍ୟ-କବିତାରେ ପ୍ରତିଫଳିତ ନମ୍ରତା, ସମର୍ପଣ ଓ ଆଦର୍ଶ ଯୁବପିଢ଼ିଙ୍କ ଚରିତ୍ର ଗଠନ ପାଇଁ ଚିରକାଳ ଦିଗ୍‌ଦର୍ଶନ ଦେବ । ସମ୍ମାନିତ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଖଗେଶ୍ୱର ଦାଶ ସାହିତ୍ୟ ହିଁ ମଣିଷକୁ ସଂସ୍କାରୀ କରି ଗଢ଼ିତୋଳେ ବୋଲି ମତ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପିକା ରୀନା ଧର୍ମବିନାୟକ ମଞ୍ଚ ଆହ୍ୱାନ, ଡ. ସରୋଜ କୁମାର ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଷଡ଼ାନନ ଭୋଇ ମଞ୍ଚାସୀନ ଥିଲେ । ବୈଷୟିକ ଅଧିବେଶନରେ ଡ. ପ୍ରଦୀପ କୁମାର ପଣ୍ଡା, ଛାତ୍ରୀ ସାଗରିକା ଯୋଶୀ ଓ କୁମକୁମ ଧରୁଆ ସାରଗର୍ଭକ ଭିତ୍ତିପ୍ରବନ୍ଧ ପାଠ କରିଥିଲେ । ପ୍ରାଧ୍ୟାପିକା ପୂର୍ଣ୍ଣିମା ଦୋରା, ପ୍ରୋ: ଶ୍ରୀକାନ୍ତ ସାହୁ, ତୋଷାବନ୍ତ ବାରିକ, କ୍ୟାପ୍ଟେନ୍ ଜୟକୁମାର ଭୁଏ, ଅଧ୍ୟାପକ ନିର୍ମଳ କୁମ୍ଭାର ଓ ସୁରେଶ୍ୱରୀ ପାଣ୍ଡେଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦିତ ହୋଇଥିବା ବେଳେ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.