
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଝିରିପାଣି ଅଞ୍ଚଳରେ ପ୍ରେମିକଙ୍କ ଘର ବାହାରେ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ଯୁବତୀ ବୁଧବାର ଦିନ ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ୍)ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଅଗଷ୍ଟ ୧୪ ତାରିଖ ଦିନ ଏହି ଘଟଣାଟି ଘଟିଥିଲା ଝିରପାଣି ଅଞ୍ଚଳରେ । ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ସୂଚନା ଅନୁସାରେ, ରାଉରକେଲା ସେକ୍ଟର-୧ର ଏକ ବସ୍ତିରେ ରହୁଥିବା ପ୍ରଭାସିନୀ ଗତ ଦୁଇ ବର୍ଷ ଧରି ଝିରିପାଣି ଅଞ୍ଚଳରେ ରହୁଥିବା ବିକି ଦାସଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ବିକି ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ବଜାୟ ରଖିଥିଲେ ବୋଲି ଅଭିଯୋଗ ହୋଇଛି । ବିକି ତାଙ୍କଠାରୁ କିଛି ସୁନା ଅଳଙ୍କାର ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ପରେ ବିକି ପ୍ରଭାସିନୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଅଗଷ୍ଟ ୧୪ ତାରିଖ ଦିନ ପ୍ରଭାସିନୀ ଟଙ୍କା ଦାବି କରିବାକୁ ଝିରିପାଣିସ୍ଥିତ ବିକିଙ୍କ ଘରକୁ ଯାଇଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ପ୍ରଭାସିନୀ ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଭିକି ପ୍ରଭାସିନୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ । ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦେବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଖବର ପାଇ, ପ୍ରଭାସିନୀଙ୍କ ପରିବାର ସଦସ୍ୟମାନେ ଡାକ୍ତରଖାନାରେ ପହଞ୍ଚି ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରୁ ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ୍)କୁ ସ୍ଥାନାନ୍ତର କରିଥିଲେ । ଆଇଜିଏଚ୍ର ବର୍ଣ୍ଣ ୱାର୍ଡରେ ଚିକିତ୍ସା ସତ୍ତ୍ୱେ, ବୁଧବାର ଦିନ ପ୍ରଭାସିନୀଙ୍କ ମୃତ୍ୟୁ ଘଟିଥିଲା । ଭିକି ଫେରାର୍ ଥିବା ଜଣାପଡ଼ିଛି । ଘଟଣାର ପାରିପାର୍ଶ୍ୱିକ ପରିସ୍ଥିତି ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।