
ବାଲେଶ୍ୱର, (କେପିଏନ୍ଏସ୍) : ବାଲେଶ୍ୱର ଜିଲ୍ଲା ସଦର ସିଡ଼ିପିଓ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ସୂଚନା ମତେ ବାଲେଶ୍ଵର ସଦର ସିଡ଼ିପିଓ ମଧୁସ୍ମିତା ମହାନ୍ତି ଗାଡି ବିଲ କରିଦେବାକୁ ଗାଡ଼ି ମାଲିକଙ୍କୁ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଗାଡି ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଓ ଯୋଜନା ଅନୁସାରେ ସିଡିପିଓ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ଟିମ ସିଡିପିଓ ମଧୁସ୍ମିତା ମହାନ୍ତିଙ୍କ କାର୍ଯ୍ୟାଳୟ ଓ ବାସ ଭବନରେ ଯାଞ୍ଚ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଯାଞ୍ଚ ସମୟରେ ୮୦ ହଜାରରୁ ଅଧିକ ନଗଦ ଟଙ୍କା, ୫୦ ଗ୍ରାମ ସୁନା ଜବତ କରିବା ସହ ଏକ ଲକର ଥିବା ସନ୍ଧାନ ପାଇଛି ଭିଜିଲାନ୍ସ ବିଭାଗ । ସିଡିପିଓ ମଧୁସ୍ମିତା ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ୍ପି ଅରୁଣ କୁମାର ନାୟକ ।