
ଜୟପାଟଣା, (ଶେଷଦେବ ବେହେରା) : ବିଭିନ୍ନ ବିକାଶ ପାଇଁ ଅନୁଦାନ ଦାବି କରି ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଓପିଟିସିଏଲ୍ ସମ୍ମୁଖରେ ସମ୍ପୃକ୍ତ ଗ୍ରାମର ଚିନ୍ତାମଣି କୁମାର ଦିନ ୧୦ଟାରୁ ଅନଶନରେ ବସିଥିବା ସୁଚନା ମିଳିଛି । ବାନେର ଗ୍ରାମର ପ୍ରାୟ ୨୫ଏକର ଗୋଚର ଜମିରେ ଓପିଟିସିଏଲ୍କୁ ମେଗାଗ୍ରୀଡ ହାତରେ ସବ୍ ଷ୍ଟେସନ ସ୍ଥାପନାର ଭାର ଦିଆଯାଇଥିବା ବେଳେ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଆଞ୍ଚଳିକ ବିକାଶ ପାଇଁ କୌଣସି ଯୋଜନା ଗ୍ରହଣ କରିନଥିବା ଅଭିଯୋଗ ହେଉଛି । ଯାହାକି କମ୍ପାନୀ ଏକ୍ଟ୍ର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ ହେଉଛି । ଅନଶନକାରୀଙ୍କ ଦାବୀରେ ବାନେର ଅଞ୍ଚଳର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାସ୍ତା, ପାନୀୟ ଜଳ ଶିକ୍ଷା, ଶିଶୁ ଉଦ୍ୟାନ, ଷ୍ଟ୍ରିଟ ଲାଇଟ୍ ଆଦି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାୱାର ଗ୍ରୀଡ ଓ ଓପିଟିସିଏଲ୍ ମିଳିତ ଭାବରେ ସିଏସ୍ଆର୍ଓ ଆଞ୍ଚଳିକ ବିକାଶ ପାଣ୍ଠି ପ୍ରଦାନ ପାଇଁ ଦାବୀ ହୋଇଛି । ଏହାର ନିଶ୍ଚିତ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଚିନ୍ତାମଣି ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ଜୟପାଟଣା ତହସିଲଦାର ଦୀପ୍ତି ରେଖା କୁମାର ଘଟଣାସ୍ଥଳରେ ପହଞ୍ଚି ଓପିଟିସିଏଲ୍ କର୍ତ୍ତୃପକ୍ଷ ଓ ଅନଶନକାରୀଙ୍କ ସାଙ୍ଗରେ ଆଲୋଚନା କରି ଫେରିଥିବା ସୁଚନା ମିଳିଛି ।