
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କଦମପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ‘ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା’ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ କଦମପଡ଼ା ସଙ୍କୁଳ ଅଧୀନରେ ଥିବା ଆଠଟି ଶିଶୁ ମନ୍ଦିର ଚୁଡ଼ାପାଲି, ଭୁତିଆରବାହାଲ, ଦଶପୁର, ମହିମୁଣ୍ଡା, କଲେଜ ଛକ, କଦମପଡ଼ା, ଦେଓଗାଁ ଓ ଚନ୍ଦନଭାଟି ପ୍ରମୁଖ ବିଦ୍ୟାଳୟରୁ ଶିଶୁବର୍ଗ, ବାଳବର୍ଗ ଓ କିଶୋର ବର୍ଗରୁ ୨୫୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାମଗୋପାଳ ହିନ୍ଦୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ନବଘନ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ମନସ୍କ ହେବା ସହ ପ୍ରତ୍ୟେକ ବିଷୟକୁ ତର୍କ ଓ ପରୀକ୍ଷଣ ମାଧ୍ୟମରେ ବୁଝିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ତରଣୀସେନ ପଟେଲ, ବଲାଙ୍ଗିର ସଂକୁଳ ପ୍ରମୁଖ ଅନ୍ତର୍ଯ୍ୟାମୀ ବିଶ୍ୱାଳ ନିଜର ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ମେଳାରେ ଅଂଶଗ୍ରହଣ କରିଥିବା ଶିଶୁମାନେ ନିଜ ନିଜର ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହାସହ ବିଜ୍ଞାନ ପ୍ରଶ୍ନ ମଞ୍ଚ, ଗଣିତ ପ୍ରଶ୍ନ ମଞ୍ଚ,ସଂସ୍କୃତି ବୋଧ ପ୍ରଶ୍ନ ମଞ୍ଚ, ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ, ମୂର୍ତ୍ତି କଳା, ବିଜ୍ଞାନ ପତ୍ର ବାଚନ, ଗଣିତ ପତ୍ର ବାଚନ, କଥା ବାଚନ ଓ ତାତ୍କାଳିକ ଭାଷଣ ପ୍ରମୁଖ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜର ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ । ମେଳାରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପଗୁଡ଼ିକୁ ବିଚାରକମାନେ ମୂଲ୍ୟାୟନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୁର୍ଡ଼ା ହାଇସ୍କୁଲର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀ ଯୋଗଦେଇ ମେଳାର ଆୟୋଜନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ, ଅନୁସନ୍ଧାନ ମନସ୍କତା ଓ ସୃଜନଶୀଳତା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଭାରତୀ ସାହୁ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼. ଭବାନୀ ଶଙ୍କର ପଟେଲ ଧନ୍ୟବାଦ ଦେଇଥିଲେ ।