jayashree

ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ବିଧାୟକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକର ୧୭ ଟି ପଞ୍ଚାୟତରେ ବିଜେପି ପକ୍ଷରୁ ଆୟୋଜିତ ହୋଇଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ । ବିଜେପି କର୍ମୀମାନେ ହାତରେ ତ୍ରିରଙ୍ଗା ପତାକା ଧରି ଦେଶ ଭକ୍ତିର ନାରା ଦେଇ ପଦଯାତ୍ରାରେ ବଙ୍ଗୋମୁଣ୍ଡା ସହର ପରିକ୍ରମା କରିଥିଲେ । ତ୍ରିରଙ୍ଗା ପତାକା ଧରି ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଜେପି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ’ କାର୍ଯ୍ୟକ୍ରମ ଧୁମଧାମ୍‌ରେ ପାଳିତ ହୋଇଛି । ଏହି ଅବସରରେ ବଙ୍ଗୋମୁଣ୍ଡା ବ୍ଲକ ସଦରରୁ ଏକ ବିଶାଳ ତ୍ରିରଙ୍ଗା ରାଲି ବାହାରି ବ୍ଲକର କଁସିଲ, ଝରିଆଲ, ଅଲଣ୍ଡା, ଅର୍ସାତୁଲା, ସିନ୍ଧେକେଲା, ଚାନ୍ଦୋତରା, ଝଲପ, ମମିଆଁ, ଭୁସଲାଡ଼, ପଲସଖଣ୍ଡ, ଚୁଲିଫୁଙ୍କା, ମନିଗାଁ, ତେତେଲପଡା, କପିଲାଭଟା, ଭାଲୁମୁଣ୍ଡା ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ସେଠାରେ ରାଲିର ସମାପନ ହୋଇଥିଲା । ତ୍ରିରଙ୍ଗା ପତାକା ଧରି କର୍ମୀମାନେ ଦେଶପ୍ରେମର ନାରା ଦେଇ ସମଗ୍ର ଅଞ୍ଚଳକୁ ମୁଖରିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ଶିବାଜୀ ମହାନ୍ତି, ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ଜିଲ୍ଲା ବିଜେପି ସମ୍ପାଦକ ପୁରନ୍ଦର ବାଗ, ବିଜେପି କଣ୍ଟାବାଞ୍ଜି ସଂଯୋଜକ ଯୌବନ ବାଗ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରା, ବିଧାୟକଙ୍କ ପ୍ରତିନିଧି ବସନ୍ତ ମେହେର, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଡ଼, ଯୁବନେତା ମୁକେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କପିଲାଭଟା ପଞ୍ଚାୟତ ମୁଖ୍ୟାଳୟ ଠାରେ ବ୍ଲକ ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜି ଯୁବକ ସଂଘ ପକ୍ଷରୁ ମଧ୍ୟ ତ୍ରିରଙ୍ଗା ଯାତ୍ରା ହୋଇଥିଲା । ଏଥିରେ ଗ୍ରାମବାସୀମାନେ ସାମିଲ ହୋଇଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ଶତାଧିକ ବିଜେପି କର୍ମୀ ରାଲିରେ ସାମିଲ ହୋଇ ଦେଶପ୍ରେମର ବାର୍ତ୍ତା ଦେଇଥିଲେ । ବଙ୍ଗୋମୁଣ୍ଡା ବ୍ଲକର ୧୭ ଟି ପଞ୍ଚାୟତକୁ ବାଇକ ରାଲିରେ ଶୋଭାଯାତ୍ରା କରିଥିଲେ । ବିଭିନ୍ନ ଛକ ଓ ଗାଁ ଗୁଡିକରେ ମହିଳାମାନେ କଣ୍ଟାବାଞ୍ଜି ବିଧାୟକଙ୍କୁ ବନ୍ଦାପନା କରିବା ସହ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ଓ ସିନ୍ଧେକେଲା ପୋଲିସ ମୁତୟନ ହୋଇଥିଲା ।

Leave A Reply

Your email address will not be published.