
ଖଣ୍ଡପଡ଼ା, (କେପିଏନ୍ଏସ୍) : ସ୍ୱାଧୀନ ଚିନ୍ତାଧାରା, ଦେଶପ୍ରେମ ଓ ଜାତି ପ୍ରେମକୁ ଉଜ୍ଜୀବିତ କରିବାର ଲକ୍ଷ୍ୟ ନେଇ ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସରୁ ସମଗ୍ର ଦେଶ ସାରା ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଆସୁଛି । ଏହି କ୍ରମରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ୨୦୦ ଫୁଟ ଲମ୍ବର ଏକ ତ୍ରିରଙ୍ଗା ପତାକା ଶୋଭାଯାତ୍ରାରେ ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ ରଥଗଡା ଛକରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଦେଶାତ୍ମବୋଧକ ନାରା ଦେଇ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ମହିଳା ମହାବିଦ୍ୟାଳୟର ଛାତ୍ରୀ, ପଠାଣି ସାମନ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ନୀଳମାଧବ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ସାଧାରଣ ଜନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଖଣ୍ଡପଡା ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନ, ଏନ୍ଏସି ଅଧ୍ୟକ୍ଷା ଆରତୀ ପ୍ରଧାନ,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର, ଖଣ୍ଡପଡା ତହସିଲଦାର ବିଶ୍ୱବିଶୃତ ତ୍ରିପାଠୀ, ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ମାନେ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଖଣ୍ଡପଡ଼ା ଯୁବକ ସଂଘର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ ।