jayashree

ଆଦିବାସୀ ମହାବିଦ୍ୟାଳୟ ତରଫରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ବିରାଟ ଶୋଭାଯାତ୍ରା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ତରଫରୁ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଦିବାସୀ ମହାବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରଛାତ୍ରୀ ୩୦୦ ଫୁଟ ଲମ୍ବର ଏକ ବିଶାଳ ତ୍ରିରଙ୍ଗା ଧରି ‘ହର ଘର ତ୍ରିରଙ୍ଗା’ ଭଳି ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରି ଦେଶପ୍ରେମର ବାର୍ତ୍ତା ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ମାନେ ମଧ୍ୟ ହାତରେ ତ୍ରିରଙ୍ଗା ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର କଳ୍ପନା କହଁର, ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା, ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ବରିଷ୍ଠ ବିଜେପି ନେତା ପଦ୍ମ ଚରଣ ଦାଶ, ଆଦିକନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ଜାତୀୟ ପତାକାର ମହତ୍ତ୍ୱ ଓ ସ୍ୱାଧୀନତାର ମୂଲ୍ୟବୋଧ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହ ଦେଶର ଅଖଣ୍ଡତା, ଏକତା ଓ ଭାଇଚାରା ବଜାୟ ରଖିବାକୁ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ ବୋଲି କୁହାଯାଇଥିଲା । ଘରେ ଘରେ ତ୍ରିରଙ୍ଗା ଉଡ଼ାଇ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଦିଆଯାଇଥିଲା । ସହରବାସୀଙ୍କ ମଧ୍ୟରେ ଏହି ଅଭିଯାନକୁ ନେଇ ବେଶ୍‌ ଉତ୍ସାହ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.