jayashree

ସୁବର୍ଣ୍ଣପୁର ଜିଲ୍ଲାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରେ ‘ହରଘର ତ୍ରିରଙ୍ଗା ଅଭିଯାନ’ ଆରମ୍ଭ ହୋଇଯାଇଛି । ସକାଳ ୧୦ଟା ବେଳେ ତ୍ରିରଙ୍ଗା ରାଲି ପାପକ୍ଷୟ ଘାଟ ଛକଠାରୁ ବାହାରି ବିନିକା ସହର ପରିକ୍ରମା କରି ବସଷ୍ଟାଣ୍ଡ ଦେଇ ସିଦ୍ଧାର୍ଥ ମହାବିଦ୍ୟାଳୟଠାରେ ପହଞ୍ଚିଥିଲା । ହର ଘର ତ୍ରିରଙ୍ଗା ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇବା ସହ ଦେଶର ସ୍ୱାଧୀନତା, ଏକତା ଓ ଅଖଣ୍ଡତା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଦିଆଯାଇଛି । ଏହି ଅବସରରେ ବିନିକା ବିଜ୍ଞାପିତ ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାମାଜିକ ସଂଗଠନର ସଦସ୍ୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ । ଏହି ବିଶାଳ ସମାବେଶରେ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ଯୋଗଦେଇ ଏକତା, ଅଖଣ୍ଡତା, ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାସ, ସାଂସଦଙ୍କ ପ୍ରତିନିଧି ନଳିନୀ ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଚେୟାରମ୍ୟାନ ସୁବାସଚନ୍ଦ୍ର ଭୋଇ, କର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ, ବିନିକା ତହସିଲଦାର ରସ୍ନା ଭୋଇ, ବିଡିଓ ଶରତଚନ୍ଦ୍ର ବାଘଙ୍କ ସମେତ ବିନିକା ବ୍ଳକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମଗ୍ର ସହର ତ୍ରିରଙ୍ଗାମୟ ହୋଇଉଠିଥିବା ବେଳେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଦେଶଭକ୍ତିରେ ପରିବେଶ ମୁଖରିତ ହୋଇଥିଲା ।

Leave A Reply

Your email address will not be published.