ସରକାରୀ ମହିଳା ମହାବିଦ୍ୟାଳୟ ବୁଲିଲେ ନରସିଂହ

csstore
  • ଅଭାବ ଥିବା ଭିତ୍ତିଭୂମି ବିକାଶ କରୁ ସରକାର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସ୍ଥାନୀୟ ସରକାରୀ ମହାବିଦ୍ୟାଳୟରେ ପହଂଚି ସେଠାରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ବିଶେଷ କରି ମହିଳା କଲେଜର ପରିଚାଳନା, ଭିତ୍ତିଭୂମିର ଅଭାବ, ଶିକ୍ଷାଦାନର ଗୁଣବତ୍ତା ତଥା ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଆଲୋଚନା ବେଳେ କଲେଜ ଅଧ୍ୟକ୍ଷ ନାକ ସ୍ୱୀକୃତି ପାଇଁ କ୍ଷେତ୍ର ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ । ଏଠାରେ ଥିବା ଯୁକ୍ତ ଦୁଇ ବିଭାଗକୁ ସରକାରୀ ବାଳିକା ବିଦ୍ୟାଳୟ ସହ ଯୋଡି ଶିକ୍ଷାଦାନର ବ୍ୟବସ୍ଥା କଲେ ମହିଳା କଲେଜର ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗ ଗୁଡିକରେ ଶିକ୍ଷାଦାନ ଆହୁରି ସୁଗମ ହେବ ବୋଲି ଆଲୋଚନା ହୋଇଥିଲା । ୨୦୧୯ ମସିହା ପୂର୍ବରୁ ଏଠାରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ଖୋଲାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ନିୟମିତ ଅଧ୍ୟାପକ ନଥିବା ଅତି ଦୁଃଖଜନକ ବୋଲି ଶ୍ରୀ ମିଶ୍ର କହିଥିଲେ । ଯଦିଓ ସେହି ସମୟରେ ବଲାଙ୍ଗିରର କିଛି ସାଧାରଣ ନାଗରିକ ଓ ଶିକ୍ଷାବିତ୍‌ଙ୍କ ଦାବି ଯୋଗୁଁ ତାଙ୍କ ପ୍ରଚେଷ୍ଟାରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ଖୋଲିଲା ତଥାପି ମଧ୍ୟ ସେ ସମୟରେ ବିଧାନସଭାରେ ବାରମ୍ବାର ଯୁକ୍ତ ଦୁଇ ବିଜ୍ଞାନ ପାଇଁ ଅଧ୍ୟାପକ ନିଯୁକ୍ତି ଦାବି କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ନିୟମିତ ଅଧ୍ୟାପକ ସରକାର ଦେଇନାହାନ୍ତି । ଏହାକୁ ନେଇ ସେ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ସହ ପୁଣି ଆଲୋଚନା କରିବେ ବୋଲି କହିଥିଲେ । ଛାତ୍ରୀ ଉପସ୍ଥାନ, ପରୀକ୍ଷା ଫଳ, ଶୃଙ୍ଖଳା ଜ୍ଞାନ ତଥା ନିୟମିତ ଶିକ୍ଷାଦାନକୁ ନେଇ ଶ୍ରୀ ମିଶ୍ର ସନ୍ତୁଷ୍ଟି ପ୍ରକାଶ କରିଥିଲେ କିନ୍ତୁ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଘୋର ଅଭାବ ଥିବା ଏଠାରେ ଜଣାପଡିଥିଲା । ଶ୍ରେଣୀ ଗୃହ ପାଇଁ ଅଧିକ କୋଠା ଦରକାର ବୋଲି ୨୭ କୋଟି ଟଙ୍କା ଅଟକଳର ଏକ ପ୍ରସ୍ତାବ ବିଭାଗକୁ ଯାଇଛି । ସେ ଉପରେ ବିଭାଗ ସହ ଶ୍ରୀ ମିଶ୍ର ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏ ଅବସରରେ ଶ୍ରୀ ମିଶ୍ର ଅଡିଟରିୟମରେ ଯୁକ୍ତ ଦୁଇ, ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଙ୍କ ସହ ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ଶିକ୍ଷା ସମସ୍ୟା ଉପରେ ମତ ବିନିମୟ କରିଥିଲେ । ଆଲୋଚନା ଶେଷରେ କଲେଜର ସମସ୍ୟା ସମ୍ମଳିତ ଏକ ଚିଠା ପ୍ରସ୍ତୁତ କରି ତାଙ୍କୁ ପ୍ରଦାନ କଲେ ଏହାକୁ ସେ ଉପଯୁକ୍ତ ଫୋରମରେ ତାର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ର ଛାତ୍ରୀମାନଙ୍କୁ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଛନ୍ତି । ଆଲୋଚନା ବେଳେ କଲେଜ ଅଧ୍ୟକ୍ଷ ଡ. ଅରବିନ୍ଦ ଓଝା, ଅଧ୍ୟାପକ ବିଭୁତି ଭୂଷଣ ସାହୁଙ୍କ ସମେତ ଅଧ୍ୟାପିକା ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.