
ବଲାଙ୍ଗିର, (କେପିଏନ୍ଏସ୍) : ସ୍ତ୍ରୀର ଆକ୍ରମଣରେ ସ୍ୱାମୀ ମୃତ । ଏଭଳି ଘଟଣା ବଲାଙ୍ଗିର ସହରରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ମୃତକଙ୍କ ବାପା ଫ୍ରଫୁଲ୍ଲ ମିଶ୍ର ବଲାଙ୍ଗିର ଲକ୍ଷ୍ମୀଯୋର ଥାନାର ଦ୍ୱାରସ୍ଥ ହୋଇ ଏକ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁସାରେ ତାଙ୍କ ବହୁ ଅନାମିକା ଶତପଥୀଙ୍କ ଆକ୍ରମଣରେ ତାଙ୍କ ପୁଅ ସ୍ୱପ୍ନେଶ୍ୱର ମିଶ୍ରଙ୍କ ମୃତ୍ୟୁ ହୋଇଛି । ଘରେ କୌଣସି ଏକ କାରଣକୁ ନେଇ ତାଙ୍କ ବୋହୂ ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇ ଟଣା ଓଟରା ଲାଗି ରହିଥିଲା । ଏତିକି ବେଳେ ବୋହୂଙ୍କ ଆକ୍ରମଣରେ ତାଙ୍କ ପୁଅ ସ୍ୱପ୍ନେଶ୍ୱରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତାକ୍ତ ହୋଇଯାଇଥିଲେ । ଯାହାଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୨ରୁ ୩ ଦିନ ରଖିବା ପରେ ଡାକ୍ତର ଆଜି ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଆଜି ମାମଲା ଥାନାରେ ପହଂଚିଥିବା ବେଳେ ଦୋଷୀ ବୋହୂ ଓ ତାଙ୍କ ପରିବାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି ମୃତ ସ୍ୱପ୍ନେଶ୍ୱରଙ୍କ ବାପା ପ୍ରଫୁଲ୍ଲ ମିଶ୍ର । ସ୍ୱପ୍ନେଶ୍ୱରଙ୍କ ଶବକୁ ଜବତ କରି ବଲାଙ୍ଗିର ଡାକ୍ତର ଖାନା ସ୍ଥିତ ଶବ ବ୍ୟବଚ୍ଛେଦ ଗୃହ ଠାରେ ଶବ ବ୍ୟବଚ୍ଛେଦ କରାଯାଇଥିବା ସୂଚନା ରହିଛି । ଘଟଣାକୁ ନେଇ ଏବେ ବଲାଙ୍ଗିର ସହରରେ ବେଶ୍ ଚର୍ଚ୍ଚା ଲାଗି ରହିଛି ।

