
ବାଲେଶ୍ୱର, (କେପିଏନ୍ଏସ୍) : ହୁଣ୍ଡାଇ ଇଣ୍ଡିଆ ଇନସୁରାନ୍ସ ବ୍ରୋକିଂ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲାର ସହଦେବ ଖୁଣ୍ଟା ଚାନ୍ଦମାରୀ ପଡ଼ିଆ ନିକଟସ୍ଥ ଅମୃତଧାରା ବୃଦ୍ଧାଶ୍ରମରେ ଆଇସିୟୁ ବେଡ୍ ଓ ହ୍ୱିଲଚେୟାର ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଶର୍ମିଷ୍ଠା ଦତ୍ତ, ସଦର ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଦାମୋଦର ନାୟକ, ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଘୋଷ ଏବଂ କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ଚନ୍ଦ୍ର ପାଣିଗ୍ରାହୀଙ୍କ ଗରିମାମୟ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ମର୍ଯ୍ୟାଦା ମଣ୍ଡିତ କରିଥିଲା । ଏହି ଅବସରରେ ହୁଣ୍ଡାଇ ଇଣ୍ଡିଆ ଇନସୁରାନ୍ସ ବ୍ରୋକିଂ ପ୍ରାଇଭେଟ୍ ଲିମିଟେଡ ମୁଖ୍ୟ ଆର୍ଥିକ ଅଧିକାରୀ ପଙ୍କଜ ଖାଟୋର (ସିଏଫ୍ଓ), ରତନ ଛେତ୍ରୀ (ଜେଡ୍ଏସ୍ଏମ୍), ଜିତେନ୍ଦ୍ର କୁମାର ବେଉରା, ଅଭିଷେକ ରାୟ ଏବଂ ସଂସ୍ଥାର ଇମ୍ପ୍ଲିମେଣ୍ଟେସନ୍ ପାର୍ଟନର ସୁନୀଲ ବାତ୍ରା ମଧ୍ୟ ଉପସ୍ଥିତ ଥିଲେ । ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅନ୍ତର୍ଗତ କମ୍ପାନୀ ପକ୍ଷରୁ ଅମୃତଧାରା ବୃଦ୍ଧାଶ୍ରମକୁ ୧୦ଟି ଆଇସିୟୁ ବେଡ୍, ୧୦ଟି ହ୍ୱିଲଚେୟାର, ମିଠା ଏବଂ ଫଳ ପ୍ରଦାନ କରାଯାଇଥିଲା । ଅମୃତଧାରାର ପ୍ରତିଷ୍ଠାତା ସଦସ୍ୟ ଡା. ସରୋଜ କୁମାର ମହାପାତ୍ରଙ୍କ ସହ ପ୍ରତିଷ୍ଠାତା ସଦସ୍ୟ ସୁରେଶ ସାମଲ, ଅଶୋକ କୁମାର ପୁରୀ, ଅରବିନ୍ଦ ପଣ୍ଡା, ପ୍ରଭାତ ବିଶ୍ୱାଳ ଏବଂ ବିନୋଦ ବିଶ୍ୱାଳଙ୍କ ସମେତ ବୃଦ୍ଧାଶ୍ରମର ସମସ୍ତ ଯତ୍ନକାରୀ ଓ ଅନ୍ତେବାସୀମାନେ ଉପସ୍ଥିତ ରହି କମ୍ପାନୀର ଏହି ମହାନ ମାନବିକ ପଦକ୍ଷେପ ପାଇଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ । ବୃଦ୍ଧାଶ୍ରମର ଅନ୍ତେବାସୀମାନେ, ବିଶେଷକରି ଶଯ୍ୟାଶାୟୀ ଓ ଗୁରୁତର ଅସୁସ୍ଥ ବୟୋଜ୍ୟେଷ୍ଠମାନେ, ଏହି ଆଇସିୟୁ ବେଡ୍ ଓ ହ୍ୱିଲଚେୟାର ପାଇ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ । ଏହି ଅତ୍ୟାବଶ୍ୟକ ଚିକିତ୍ସା ସହାୟକ ସାମଗ୍ରୀ ସେମାନଙ୍କର ଚିକିତ୍ସା, ସେବା, ଆରାମ, ସମ୍ମାନ ଏବଂ ଜୀବନମାନରେ ଉଲ୍ଲେଖନୀୟ ଉନ୍ନତି ଆଣିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଅମୃତଧାରା ପରିବାର ପକ୍ଷରୁ ହୁଣ୍ଡାଇ ଇଣ୍ଡିଆ ଇନସୁରାନ୍ସ ବ୍ରୋକିଂ ପ୍ରାଇଭେଟ୍ ଲିମିଟେଡ୍, ଗୁରୁଗ୍ରାମ, ହରିୟାଣା ପ୍ରତି ଆନ୍ତରିକ କୃତଜ୍ଞତା ଜଣାଯାଇଥିଲା । ବିଶେଷ ଭାବେ ସମୀର ସମଦାନୀ (CEO ଓ Director), ପଙ୍କଜ ଖାଟୋର (CFO), ରତନ ଛେତ୍ରୀ (ZSM–East), ହନି ଭଗଚନ୍ଦାନୀ ଏବଂ ସୁନୀଲ ବାତ୍ରାଙ୍କ ଅମୂଲ୍ୟ ସହଯୋଗ, ଉଦାର ଅବଦାନ ଏବଂ ବୃଦ୍ଧ ସେବା ପ୍ରତି ସେମାନଙ୍କର ମାନବିକ ସମର୍ପଣ ପାଇଁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଯାଇଥିଲା ।

