
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁସ୍ତକ ଲୋକାର୍ପଣ ବର୍ଣ୍ଣାଢ୍ୟ ଉତ୍ସବରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବରେ କଲେଜ ଅଧ୍ୟକ୍ଷ ଡଃ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଏକ ଗୌରବାନ୍ୱିତ ଅଧ୍ୟାୟକୁ ଆଧାର କରି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ରଚିତ ପୁସ୍ତକ “ଭାରତରେ ସ୍ୱାଧୀନତା ସଂଗ୍ରାମର ଆଦ୍ୟନାଦ : ଏକ ତୁଳନାତ୍ମକ ଅଧ୍ୟୟନ”ର ଲୋକାର୍ପଣ ଉତ୍ସବ ତଥା ତତ୍ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଦ୍ଘାଟକ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ମାନସ୍ପଦ କୁଳପତି ତଥା ଐତିହାସିକ ଡଃ. ଚଣ୍ଡି ପ୍ରସାଦ ନନ୍ଦ, ମୁଖ୍ୟଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ. ଅମୀୟ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ସରକାରୀ ସ୍ନାତକ ମହାବିଦ୍ୟାଳୟ, ଧରାକୋଟର ଅଧ୍ୟକ୍ଷ ଡଃ. ସୁଜିତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡଃ. ମନ୍ମଥ ପାଢ଼ୀ, ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପାରଳାଖେମୁଣ୍ଡି, ସ୍ନାତକୋତ୍ତର ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ସୁଶାନ୍ତ ଦାସ ପ୍ରମୁଖ ବହୁ ବିଶିଷ୍ଟ ଗଣ୍ୟମାନ୍ୟ ଅତିଥି ଯୋଗଦାନ କରି ଏହି ସାରସ୍ୱତ ସମ୍ମାନ ଉତ୍ସବରେ ଯୋଗଦେଇ ଆଲୋଚ୍ୟ ବିଷୟରେ ମତପୋଷଣ କରିଥିଲେ । ପାରଳାଖେମୁଣ୍ଡିର ସୁପ୍ତ ଇତିହାସକୁ ଲୋକ ଲୋଚନକୁ ଆଣିଥିବାରୁ ଅତିଥିମାନେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ଭୂୟସୀ ପ୍ରଶଂସା କରିଥିଲେ ଏବଂ କଲମ ମୁନରେ ଉତ୍ସର୍ଗୀକୃତ ସେବା ପାଇଁ ସଭିଁଏ ସାଧୁବାଦ ଜଣାଇଛନ୍ତି । ପାରଳା ମହାରାଜା ଗୌରଚନ୍ଦ୍ର ଗଜପତି ୨ ଙ୍କ ତତ୍ତ୍ଵାବଧାନରେ ୧୭୭୭ ମସିହାରେ ପାଇକ ଓ ବିଷୋୟୀମାନେ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ଲେଖକ ଉପସ୍ଥାପନ କରିଥିଲେ । ଏହା ପାରଳାର ପ୍ରଥମ ସଶକ୍ତ ଆନ୍ଦୋଳନର ପ୍ରଥମ ପୃଷ୍ଠଭୂମି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ୧୭୬୭ – ୧୮୫୭ ପର୍ଯ୍ୟନ୍ତ ଦୀର୍ଘ ୯୦ ବର୍ଷ ଧରି ଏହି ଆନ୍ଦୋଳନ ଜାରି ରହିଥିଲା ବୋଲି ଲେଖକ ଉପସ୍ଥାପନ କରିଥିଲେ । ଏହି ଉତ୍ସବରେ ବିଶିଷ୍ଟ ଅତିଥି, ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ପାଠକବୃନ୍ଦ ଉପସ୍ଥିତ ରହି ଏହି ପୁସ୍ତକ ଭାରତର ସ୍ୱାଧୀନତା ସଂଗ୍ରାମର ପ୍ରାରମ୍ଭିକ ପର୍ଯ୍ୟୟକୁ ଏକ ତୁଳନାତ୍ମକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରି ଇତିହାସ ଅନୁସନ୍ଧାନ କ୍ଷେତ୍ରରେ ଏକ ମୂଲ୍ୟବାନ ସଂଯୋଜନ ଭାବେ ବିବେଚିତ ହେବ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ନରେଶ ଚନ୍ଦ୍ର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀମତୀ ସାପା ରଞ୍ଜିତା କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ । ଏହି ଅବସରରେ ଛତ୍ରପୁର, ବ୍ରହ୍ମପୁର ଓ ପାରଳାଖେମୁଣ୍ଡିରୁ ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସୁଚିସ୍ମିତା ବେହେରା ସମସ୍ତ ଅତିଥି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

