
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ସହର ସ୍ଥିତ ଟାଉନ ବାଳିକା ଏବଂ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟରେ ପହଂଚି ସେଠାକାର ଶିକ୍ଷକ କର୍ମଚାରୀଙ୍କ ସହିତ ଉଚ୍ଚ ବିଦ୍ୟାଳୟର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଯଦିଓ ମଂଜୁରୀପ୍ରାପ୍ତ ସମସ୍ତ ପଦବୀରେ ଶିକ୍ଷକ ନାହାନ୍ତି ତଥାପି ମଧ୍ୟ ଶିକ୍ଷାଦାନ ଠିକ୍ ଭାବରେ ଚାଲିଥିବା ଆଲୋଚନାରୁ ଜଣା ପଡିଥିଲା । ସେଠାରେ ହିନ୍ଦୀ, ସଂସ୍କୃତ, ଗଣିତ ଏବଂ ଶାରିରୀକ ପ୍ରଶିକ୍ଷକ ଅଭାବ ଉପରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାତ୍ରି ଜଗୁଆଳି ପଦ ଖାଲି ଥିବାରୁ ସ୍କୁଲର ନିରାପତ୍ତାକୁ ନେଇ ଶିକ୍ଷକମାନେ ଚିନ୍ତା ପ୍ରକଟ କରିଥିଲେ । ମ୍ୟାଟ୍ରିକ ପରୀକ୍ଷା ଫଳକୁ ନେଇ ଶ୍ରୀ ମିଶ୍ର ସନ୍ତୁଷ୍ଟି ପ୍ରକାଶ କରିଥିଲେ । ଖେଳ ବିଭାଗରେ ମଧ୍ୟ ବିଶେଷ କରି ବ୍ୟାଡମିଣ୍ଟନ ଓ ଖୋଖୋରେ ସ୍କୁଲର ଖେଳାଳିମାନେ ଜାତୀୟ ସ୍ତର ପର୍ଯ୍ୟନ୍ତ ଭାଗ ନେଉଛନ୍ତି । ପରେ ଶ୍ରୀ ମିଶ୍ର ଟାଉନ ବାଳକ ଉଚ୍ଚ ବିଦ୍ୟାଳୟରେ ପହଂଚି ସେଠାକାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ତଥା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏଠାରେ ମଧ୍ୟ ମ୍ୟାଟ୍ରିକ ପରୀକ୍ଷା ଆଶାଅନୁରୂପ ଥିବା ଜଣାପଡିଥିଲା । ଅଣ ଶିକ୍ଷକ କର୍ମଚାରୀଙ୍କ ଅଭାବ ଯୋଗୁଁ ଅନେକ ଗୁଡିଏ ଶିକ୍ଷା ଆନୁସଙ୍ଗିକ କାର୍ଯ୍ୟ ସୂଚାରୁ ରୂପେ ହୋଇ ନ ପାରୁଥିବା ଆଲୋଚନା ବେଳେ ଶିକ୍ଷକମାନେ ଜଣାଇଥିଲେ । ସ୍କୁଲ କୋଠାରେ ପାଣି ଗଳୁଥିବାରୁ ଏହି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ତା ସହ ଖେଳ ପଡିଆରେ ଦରକାର ହେଉଥିବା ଟ୍ୟୁବୱେଲ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କ ସହ କଥା ହୋଇ ବହୁ ଶୀଘ୍ର ଟ୍ୟୁବୱେଲ ସ୍ଥାପନ ପାଇଁ ଶ୍ରୀ ମିଶ୍ର କହିଥିଲେ । ପୂର୍ତ୍ତଯନ୍ତ୍ରୀ ମଧ୍ୟ ଉଭୟ ଟାଉନ ବାଳିକା ଓ ବାଳକ ଉଚ୍ଚ ବିଦ୍ୟାଳୟ ତଥା ପୂର୍ବରୁ ଆଲୋଚନା ହୋଇଥିବା ପିଆର୍ ହାଇସ୍କୁଲ ଖେଳ ପଡିଆରେ ଶୌଚାଳୟ ଏବଂ ସରକାରୀ ବାଳିକା ବିଦ୍ୟାଳୟରେ ଏକ ସେଡ୍ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅନୁରୋଧ କ୍ରମେ ସମ୍ମତି ପ୍ରକାଶ କରିଥିଲେ । ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ଅଭାବକୁ ନେଇ ଶିକ୍ଷା ବିଭାଗଙ୍କ ସହ ସେ ଶୀଘ୍ର ଆଲୋଚନା କରିବେ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି ପରିଦର୍ଶନ ସମୟରେ ଟାଉନ ବାଳକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମିତା ଭୋଇ, ଯୋଗମାୟା ଷଡଙ୍ଗୀ, କଲ୍ୟାଣ ଉଦ୍ଗାତା, ଅଣାକାର ସାହୁ, ମଧୁସ୍ମିତା ସାହୁ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ବଢେଇ, ଯଯାତି କେଶରୀ ପ୍ରଧାନ, ସତ୍ୟାନନ୍ଦ ବିଶ୍ୱାଲ, କୃଷ୍ଣଚନ୍ଦ୍ର ବାଗ, କବିତା ମିଶ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

