
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତର ଫୁଲଝର ଗ୍ରାମରେ ଆର୍.ଡବ୍ଲୁ.ଏସ୍.ଏସ୍. ପକ୍ଷରୁ ୧ କୋଟି ୧୨ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟରେ ନିର୍ମିତ ପାଣିଟାଙ୍କିକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ୨୦୨୨ରେ କାମ ଆରମ୍ଭ ହୋଇ ୨୦୨୪ରେ ଶେଷ ହୋଇଥିଲା ଏବଂ ୨୦୨୫ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଉଦ୍ଘାଟନ କରିଥିଲେ । କିନ୍ତୁ ଉଦ୍ଘାଟନର ମାତ୍ର ଏକ ବର୍ଷ ମଧ୍ୟରେ ପ୍ରଥମ ବର୍ଷାରେ ପାଣିଟାଙ୍କିର ପାଚେରୀର ଏକ ପାର୍ଶ୍ୱ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଏନେଇ ଆର୍.ଡବ୍ଲୁ.ଏସ୍.ଏସ୍.ର ଯନ୍ତ୍ରୀ ଶ୍ୟାମ କୁମାରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପ୍ରବଳ ବର୍ଷା ହେବା ସହ ପାଣିଟାଙ୍କି ଓ ପାଚେରୀ ଗାଢ଼ ଜମି ଉପରେ ନିର୍ମାଣ ହୋଇଥିବାରୁ ଟାଙ୍କି ମଧ୍ୟ ଭାଙ୍ଗିଯିବାର ଆଶଙ୍କା ଥିଲା । ଭାଗ୍ୟବଶତଃ କେବଳ ପାଚେରୀ ଭାଙ୍ଗିଛି । ସେ ଆହୁରି କହିଥିଲେ, ଠିକାଦାର ସମସ୍ତ ବିଲ ଉଠାଇ ସାରିଛନ୍ତି । ଏବେ ସେ କାହା କଥା ଶୁଣିବେ ? ଯନ୍ତ୍ରୀଙ୍କ ଏହି ମନ୍ତବ୍ୟ ଘଟଣାକୁ ଆହୁରି ଗୁରୁତର କରିଦେଇଛି । ଯଦି ନିର୍ମାଣ ସ୍ଥଳର ମାଟି ଏତେ ବିପଦପୂର୍ଣ୍ଣ ଥିଲା ଯେ, ଟାଙ୍କି ମଧ୍ୟ ଭାଙ୍ଗିଯିବାର ଆଶଙ୍କା ରହିଥିଲା, ତେବେ ସେଠାରେ ପ୍ରକଳ୍ପ ନିର୍ମାଣ ପୂର୍ବରୁ ଭୂତତ୍ତ୍ୱିକ ଓ ବୈଷୟିକ ଯାଞ୍ଚ କରାଯାଇଥିଲା କି ? ଯଦି କରାଯାଇଥିଲା, ତେବେ ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା ? ଆଉ ଯଦି ଯାଞ୍ଚ ହୋଇନଥିଲା, ତେବେ ଏହା କାହାର ଅବହେଳା ? ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ବିଭାଗକୁ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ, “ଠିକାଦାର ବିଲ ଉଠାଇ ସାରିଛନ୍ତି । ଏବେ କଣ ଶୁଣିବେ” ବୋଲି ଦିଆଯାଇଥିବା ମନ୍ତବ୍ୟ ସରକାରୀ କାର୍ଯ୍ୟ ବ୍ୟବସ୍ଥାର ଜବାବଦେହିତା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି । ବିଲ ପରିଶୋଧ ହୋଇଗଲେ କି ନିର୍ମାଣର ଦାୟିତ୍ୱ ଶେଷ ହୋଇଯାଏ ? ତ୍ରୁଟିପୂର୍ଣ୍ଣ କାମ ପାଇଁ ଠିକାଦାରଙ୍କ ବିରୋଧରେ ପ୍ରଚଳିତ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ, ୱାରେଣ୍ଟି କିମ୍ବା ଡିଫେକ୍ଟ ଲାୟାବିଲିଟି ପରି ବ୍ୟବସ୍ଥା ଲାଗୁ ହେବ ନାହିଁ କାହିିଁକି ? ସାଧାରଣ ଲୋକେ ଏହାର ଉତ୍ତର ଅପେକ୍ଷାରେ ଅଛନ୍ତି । ବିଶେଷ କରି ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ପ୍ରକଳ୍ପରେ ଏଭଳି ଘଟଣା ସରକାରୀ କାର୍ଯ୍ୟର ବିଶ୍ୱସନୀୟତାକୁ ଆଘାତ ଦେଇଛି । ଜିଲ୍ଲା ପ୍ରଶାସନ ଓ ଆର୍.ଡବ୍ଲୁ.ଏସ୍.ଏସ୍. ବିଭାଗ ତୁରନ୍ତ ନିରପେକ୍ଷ ତଦନ୍ତ କରି ଦାୟୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ନେବେ କି ନାହିଁ, ତାହା ଉପରେ ଏବେ ସମଗ୍ର ଜିଲ୍ଲାର ନଜର ରହିଛି । କାରଣ ଏଠାରେ ଭାଙ୍ଗିଛି କେବଳ ପାଚେରୀ ନୁହେଁ, ସରକାରୀ ପ୍ରକଳ୍ପର ଗୁଣବତ୍ତା ପ୍ରତି ଲୋକଙ୍କ ବିଶ୍ୱାସ ।

