csstore

ଦେଓଗାଁ ଅଞ୍ଚଳରେ ୨ ଦିନ ନିର୍ଦ୍ଧୁମ ଛେଚିଲା ବର୍ଷା : ସୋନଗଡ ନଦୀରେ ଆସିଲା ପାଣି, ଚାଷ ଜମି ସବୁ ଉବୁଟୁବୁ

ଦେଓଗାଁ, (ମନୀଷ କୁମାର ସାହୁ) : ୫ ଦିନ ଧରି ଲଗାଣ ବର୍ଷା ହେବା ସହ ୨ଦିନ ନିର୍ଦ୍ଧୁମ ବର୍ଷା ହେବା ପରେ ସୋମବାର ସକାଳୁ ଦେଓଗାଁ ବ୍ଲକ ଦେଇ ଅତିବାହିତ ହୋଇ ଯାଇଥିବା ସୋନଗଡ ନଦୀରେ ବଢ଼ି ପାଣି ଆସିଥିବା ଦେଖିବାକୁ ମିଳିଛି । ଦେଓଗାଁ ବ୍ଲକ ଅଞ୍ଚଳର ସବୁଆଡେ ଚାଷ ଜମିରେ ବର୍ଷା ପାଣି ଉବୁଟୁବୁ ହେବ ପରେ ନାଳ ଦେଇ ଏବେ ନଦୀରେ ପାଣି ଆସିବାରେ ଲାଗିଛି । ଜୁନ୍ ମାସରେ ଦେଓଗାଁ ବ୍ଲକରେ ସର୍ବନିମ୍ନ ବୃଷ୍ଟିପାତ ଭଳି ସମସ୍ୟା ଆସିଥିବା ବେଳେ ଏବେ ଜୁଲାଇ ମାସର ୧ ତାରିଖରୁ ଆଜି ୬ ତାରିଖ ସୋମବାର ଦିନ ପର୍ଯ୍ୟନ୍ତ ଲଗାଣ ଭାବେ ବର୍ଷା ଲାଗି ରହିଛି। ଫଳରେ ଚାଷ ଜମି, ବିଲରୁ ଆରମ୍ଭ କରି ରାସ୍ତାଘାଟ, ଗାଁ ବସ୍ତି ଭିତରେ ସବୁଆଡେ ବର୍ଷା ପାଣି ଜମି ରହିଛି । ଗତ ମାସ ବର୍ଷା ଅଭାବରୁ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରି ପାରିନଥିବା ବେଳେ କିଛିଦିନ ହେଲା ଲଗାତାର ଭାବେ ବର୍ଷା ହେଉଥିବାରୁ ଚାଷୀ ଜମିରେ ପକାଇଥିବା ପଲ୍ହା ବା ବିହନ ମଧ୍ୟ ଏବେ ନଷ୍ଟ ହେବାର ଭୟ ରହିଛି । ବହୁ ଚାଷୀଙ୍କ ବିହନ ବା ପଲ୍ହା ବୁଡ଼ି ରହିଥିବା ବେଳେ ଅନ୍ୟ ଚାଷୀମାନେ ଏବେ ଚାଷ କାର୍ଯ୍ୟ ଆରମ୍ଭ କରିବା ମଧ୍ୟ ସମ୍ଭବ ହେବ ନାହିଁ ବୋଲି କହୁଛନ୍ତି । ଦେଓଗାଁ ସମେତ ସିକୁଆଁ, ବନ୍ଧପଡା, ଉପରଝର, ଗୌଡଗୋଠ, ମୁକୁନ୍ଦପୁର, ରାମଚନ୍ଦ୍ରପୁର ଅଞ୍ଚଳରେ ଏହାର ପ୍ରଭାବ ବେଶୀ ଦେଖିବାକୁ ମିଳୁଛି । ତେବେ କ୍ଷତି ହେଉଥିବା ବୁଣାଧାନକୁ ନେଇ କୃଷି ବିଭାଗ ଚାଷୀଙ୍କୁ ସଚେତନ କରିବାକୁ ସାଧାରଣରେ ଦାବୀ ହେଉଛି । ଏଭଳି ବର୍ଷା ଆଗକୁ ଲାଗି ରହିଲେ ଚାଷ କାର୍ଯ୍ୟ ପ୍ରଭାବିତ ହେବ ବୋଲି ଚାଷୀ ଅନୁମାନ କରୁଛି । ଖାଲି ଧାନ ଚାଷ ନଷ୍ଟ ହୋଇଛି ତାହା ନୁହେଁ ଦେଓଗାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ପଞ୍ଚାୟତର କଞ୍ଚା ରାସ୍ତା ବି ଖରାପ ହୋଇଥିବାରୁ ଗ୍ରାମାଞ୍ଚଳର ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳୁଛି । ଅନ୍ୟପକ୍ଷରେ ଚଳିତ ବର୍ଷର ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟି ଦେଲେ ବର୍ଷା ମଧ୍ୟ ତଦନୁଯାୟୀ ହେବ ବୋଲି ପରିବେଶବିତମାନେ ପ୍ରକାଶ କରୁଛନ୍ତି । ସୋମବାର ଦିନ ବଲାଙ୍ଗିର ଜିଲ୍ଲାପାଳ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍‌ ଆଲର୍ଟ ଜାରି କରି ଶିକ୍ଷାନୁଷ୍ଠାନ ଗୁଡ଼ିକ ଛୁଟି ଘୋଷଣା କରିଛନ୍ତି । ବିଦ୍ୟାଳୟ ଛୁଟି ବୋଲି ଜାଣିବା ପରେ ଗାଁ ଗାଁରେ ଛୋଟ ଛୋଟ ପିଲାମାନେ ମାଛ ଧରିବା ପାଇଁ ଗାଁ ନାଳକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଦେଓଗାଁ ବ୍ଲକ୍ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ମୁରସିଂହ ଗାଁ ଭିତରେ ୨ ଫୁଟ୍ ପାଣି ଜମି ରହିଥିବାର ଜଣାପଡ଼ିଛି । ତେବେ ୨ ଦିନର ବର୍ଷାରେ ବି ମୁରସିଂହ ଗାଁର ପୂର୍ତ୍ତ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେହିପରି ତୁଷୁରାରୁ ନୂଆପଡ଼ା ଯିବା ମୁଖ୍ୟ ରାସ୍ତାର ନୂଆପଡ଼ା ସମରା ଛକ ନିକଟରେ ଏକ ବିଶାଳକାୟ ଗଛ ଗତ ତିନି ଦିନ ଧରି ବର୍ଷା ଯୋଗୁଁ ଢଳି ପଡ଼ିଛି । ଗଛଟି ରାସ୍ତା ମଝିରେ ପଡିବା ଫଳରେ ଉକ୍ତ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଦୀର୍ଘ ସମୟ ଧରି ରାସ୍ତା ଜାମ ହୋଇ ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.