
ଟିଟିଲାଗଡ ହାଇସ୍କୁଲ ପଡ଼ାରେ ନୂତନ ମଦ ଦୋକାନ ବନ୍ଦ କରିବାକୁ ଦାବି କରି ରାସ୍ତାଅବରୋଧ କଲେ ପଡ଼ାବାସୀ – ଉପଜିଲ୍ଲାପାଳ ଆସି ପଦକ୍ଷେପ ନେବାକୁ କହିବା ପରେ ହଟିଲା ରାସ୍ତା ଅବରୋଧ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହର ଏକ ଶାନ୍ତି ପ୍ରିୟ ସହର ଅଟେ । ସହରର ହାଇସ୍କୁଲ ପଡ଼ା ହେଉଛି ଏକ ଶାନ୍ତଶିଷ୍ଠ ଅଞ୍ଚଳ, ସେଥିପାଇଁ ଏଠାରେ ସବୁ ସରକାରୀ ଚାକିରିଆମାନେ ଘର ଭଡ଼ା ନେଇ ରହିଥାନ୍ତି । ବହୁତ୍ ପରିବାର ଏହି ଅଞ୍ଚଳରେ ରହିବାକୁ ପସନ୍ଦ କରନ୍ତି କାରଣ ହେଲା ଉତ୍ତମ ପରିବେଶ ସହ ବହୁ ଶିକ୍ଷାବିତ୍, ଆଇନଜୀବୀ ତଥା ଅବସର ଗ୍ରହଣ କରିଥିବା ଲୋକେ ଘର କରି ଖୁସିରେ ରୁହନ୍ତି । ତେବେ କିଛି ଦିନ ତଳେ ନୂଆ ଅବକାରୀ ନିୟମ ଅନୁସାରେ ଲଟେରୀ ମାଧ୍ୟମରେ ମଦ ଦୋକାନ ଖୋଲିବା ପାଇଁ ସହରର ନଅ ନମ୍ବର୍ ହାଇସ୍କୁଲପଡ଼ା ଠାରେ ଥିବା କିର ମହାନନ୍ଦ ବାବୁଙ୍କ ଘରେ ମଦ ରଖିବା ଗୋଦାମ ଘର ଓ ସାମ୍ନାରେ ଥିବା ଦୋକାନ ଗୁଡିକ ମଧ୍ୟରୁ ଗୋଟିଏ ଦୋକାନରେ ମଦ ଦୋକାନ ଖୋଲାଯିବା ଦେଖି ଲୋକେ ଚକିତ ହୋଇଯାଇଥିଲେ । ତା’ ସହିତ ଶୁକ୍ରବାର ସନ୍ଧ୍ୟାରେ ମଦ ଅନଲୋଡ କରିବା ପାଇଁ ଅବକାରୀ ଓ ପୋଲିସ ବିଭାଗର ଗାଡି ଦେଖି କିଛି ସମୟ ପାଇଁ କର୍ଫ୍ୟୁ ହେଲା ଭଳି ସ୍ଥିତି ଉପୁଜିଥିଲା । ଯାହାକି ଅଞ୍ଚଳରେ ରହୁଥିବା ଲୋକେ ପ୍ରଥମ ଥର ପାଇଁ ଏମିତି ଭୟଭୀତ ହୋଇଯାଇଥିଲେ । ଏତେ ପରିମାଣରେ ପୋଲିସ ଗାଡ଼ି ଓ ଅବକାରୀ ଅଧିକାରୀ, କର୍ମଚାରୀ ଓ ପୋଲିସ ଦେଖି ତେବେ ସୋମବାର ସକାଳୁ ଓକିଲ ସଙ୍ଘର ପୂର୍ବତନ ସଭାପତି ସଞ୍ଚୟ ବେହେରାଙ୍କ ନେତୃତ୍ୱରେ ହାଇସ୍କୁଲପଡ଼ାର ସମସ୍ତ ମହିଳା ଓ ପୁରୁଷମାନେ ଜାତୀୟ ରାଜପଥ ୨୬ ଅବରୋଧ କରିବା ସହ ମଦ ଦୋକାନ ଅନ୍ୟସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଦାବି କରିଛନ୍ତି । ଏ ଦାବିକୁ କଂଗ୍ରେସ୍ ଦଳର ନେତା ବୀରେନ୍ଦ୍ର ବାଗ ସମର୍ଥନ ଜଣାଇବା ସହ ତୁରନ୍ତ ମଦ ଦୋକାନ ହଟାଇବାକୁ ଦାବି କରିଛନ୍ତି । ତେବେ ଏଠାରେ କେଉଁ ଆଧାରରେ କିଭଳି ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଗଲା ? ଅବକାରୀ ବିଭାଗ ଦୋକାନ ଖୋଲିବା ପୂର୍ବରୁ ସ୍ଥିତି ନିରୀକ୍ଷଣ ସହ କାଗଜପତ୍ର ଯାଞ୍ଚ କରିଥିଲା କି ନାହିଁ ? ଯଦି ସବୁ ଠିକ୍ ଥିଲା ତାହେଲେ ଅଞ୍ଚଳ ବାସୀ ବିରୋଧ କଲେ କାହିଁକି ? ପଡ଼ାବାସୀଙ୍କ କହିବାନୁଯାୟୀ ମଦ ଦୋକାନ ଠାରୁ ଗୋଟିଏ ଘର ଛାଡି ଇଂରାଜୀ ମିଡିଅମ ମଦର୍ସ ଟଚ୍ ସ୍କୁଲ ରହିଛି । ସାମ୍ନା ଗଳିରେ ଝିଅ ପିଲାମାନଙ୍କ ନର୍ସିଂ କଲେଜ ରହିଛି, ଆଉ କିଛି ଦୂରରେ ହନୁମାନ ମନ୍ଦିର ରହିଛି, ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହେଉଛି ଯେ, ଏଠାରେ ସବୁ ପରିବାର ବସବାସ କରିଥାନ୍ତି । ଦୁର୍ଭାଗ୍ୟର ବିଷୟ କିଛି ଦିନ ହେବ ଦୋକାନ ଖୋଲିବାକୁ ଆସିଥିବା କିଛି ଅଣ ଓଡ଼ିଆ ବ୍ୟକ୍ତି ନିକଟରେ ଖାଲିଥିବା ଏକ ଭଡ଼ା ଘରେ ରହିବା ଯୋଗୁଁ ଆଖପାଖ ଅଞ୍ଚଳର ଲୋକେ ତାଙ୍କର ଚାଲିଚଳନକୁ ଦେଖି ଭୟଭୀତ ହେଉଛନ୍ତି । ଯଥା ଶୀଘ୍ର ଏଠାରୁ ଏହି ମଦ ଦୋକାନ ସ୍ଥାନାନ୍ତର କରିବାକୁ ଜୋରଦାର ଦାବି କରିବା ସହିତ ଏହି ଅଞ୍ଚଳରେ ଦୋକାନ ଖୋଲିଲେ ମା’ ଭଉଣୀ ଅସୁରକ୍ଷିତ ହେବା ସହ ଦୈନନ୍ଦିନ କିଛି କିଛି ଅଘଟଣର ଶିକାର ହେବେ, ସେଥିପାଇଁ ଏହି ମଦ ଦୋକାନ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି । ଖବର ପାଇ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ତହସିଲଦାର ଶଙ୍କର ବାଗ, ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ସହାୟକ ଜିଲ୍ଲପାଳ ତୁଷାର କାନ୍ତ ମହଲା, ଅବକାରୀ ବିଭାଗର ଅଧିକାରୀ, ଥାନାଧିକାରୀ ମନୋଜ କୁମାର ମୁଣ୍ଡା ପହଞ୍ଚିଥିଲେ । ଲୋକଙ୍କୁ ଆଇନ ଅନୁଯାୟୀ ତଦନ୍ତ କରାଯିବ ଏବଂ ଭୁଲ ତଥ୍ୟ ଦେଇଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଉପଜିଲ୍ଲାପାଳ ନିଜ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିଛନ୍ତି ।
