
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆଜିକୁ ଦୀର୍ଘ ୫ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ଶୁଖିଥିବା ନଦୀ, ନାଳ, ପୋଖରୀ, କୂଅ ସବୁ ପରିପୂର୍ଣ୍ଣ ହୋଇ ବିପଦ ସଂକେତ ଆଡ଼କୁ ଗତି କଲାଣି, ଏହି ଲଗାଣ ବର୍ଷା ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଛି । ଲୋକେ ଘରୁ ବାହାରକୁ ବାହାରି କୌଣସି କାର୍ଯ୍ୟ କରିପାରୁନାହାନ୍ତି । ଚାଷୀଠାରୁ ଆରମ୍ଭ କରି ମଜୁରିଆ ସମସ୍ତେ ଘରେ ହାତବାନ୍ଧି ବସିଛନ୍ତି । କନ୍ଧମାଳ ଜିଲ୍ଲା ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ରବିବାର ବାଲିଗୁଡାରେ ୨୧୦ ମିଲି ମିଟର ବର୍ଷାର ରେକର୍ଡ କରାଯାଇଥିବା ବେଳେ ଚକପାଦ ୨୦୪. ୬, ଦାରିଙ୍ଗିବାଡିରେ ୫୯, ଜି. ଉଦୟଗିରିରେ ୨୨୦, କୋଟଗଡ଼ରେ ୧୦୧, କ. ନୂଆଗାଁରେ ୧୬୦, ରାଇକିଆରେ ୧୯୦. ୬ ଟିକାବାଲିରେ ୨୧୭ ଏବଂ ତୁମୁଡିବନ୍ଧରେ ୧୦୦. ୨ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବାଲିଗୁଡା ଟାଉନର ବସଷ୍ଟାଣ୍ଡ ଭିତରେ ଡ୍ରେନେଜ ବ୍ୟବସ୍ଥା ଠିକ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୋକାନ ଭିତରେ ପଶି ବହୁ ବ୍ୟବସାୟୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବସଷ୍ଟାଣ୍ଡ ନିକଟସ୍ତ ବୁଡ଼ାଗୁଡା ଯିବା ରାସ୍ତାରେ ଥିବା ଆଦର୍ଶ ପୁଷ୍କରିଣୀରେ ପ୍ରବଳ ବର୍ଷା ପାଣି ଆସି ଗୋଟିଏ ପାଖ ଗାର୍ଡ ୱାଲ ଧୋଇ ହୋଇ ଯିବାରୁ ରାସ୍ତାକୁ ପାଣି ଆସିଥିଲା । ଯାହା ଫଳରେ ପାଣି କମିବା ପର୍ଯ୍ୟନ୍ତ ଯାତାୟତ ବନ୍ଦ ହୋଇଥିଲା । ସେହିପରି ୫୯ ନଂ. ଜାତୀୟ ରାଜପଥର ଗଦରିଙ୍ଗିଆ ଘାଟି ନିକଟରେ ଶନିବାର ମଧ୍ୟ ରାତ୍ର ପରେ ପରେ ଏକ ବଡ଼ ଗଛ ଉପୁଡି ପଡିବାରୁ ଯାତାୟତରେ ଘୋର ବ୍ୟାହତ ସୃଷ୍ଟି ହୋଇଥିଲା । ଯାହା ଫଳରେ ରବିବାର ଦିନ ୧୦ ଘଣ୍ଟ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହି ଯାତ୍ରୀମାନେ ଜଙ୍ଗଲ ମଧ୍ୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏତଦ୍ ବ୍ୟତୀତ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ବହୁ ବଡ଼ ବଡ଼ ଗଛ ଓ ଡାଳ ଭାଙ୍ଗି ବିଦ୍ୟୁତ ସେବା ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହେବା ଫଳରେ ବାଲିଗୁଡା ଓ ଆଖପାଖ ଅଞ୍ଚଳର ହଜାର ହଜାର ଉପଭୋକ୍ତା ଅନ୍ଧାରରେ ଥିବା ଜଣା ।ପଡିଛି । ଏହି ଲଗାଣ ବର୍ଷା ଯୋଗୁଁ ବାଲିଗୁଡ଼ା, କ. ନୂଆଗାଁ, ରାଇକିଆ, କୋଟଗଡ଼, ଜି. ଉଦୟଗିରି ଏବଂ ତୁମୁଡ଼ିବନ୍ଧ, ଦାରିଙ୍ଗବାଡି, ଟିକାବାଲି, ଚକାପାଦ ଭଳି ବିଭିନ୍ନ ଅଞ୍ଚଳରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଦୁର୍ଗମ ଅଞ୍ଚଳର କିଛି ଗ୍ରାମରେ ବିଦ୍ୟୁତ ସେବା ସାମାନ୍ୟ ବ୍ୟାଘାତ ଦେଖାଦେଇଛି । ୫ଦିନ ହେଲାଣି ଲଗାଣ ବର୍ଷା ଲାଗି ରହିବା ଫଳରେ ସୋଲାର ଦ୍ୱାରା ଉଠାଜଳ ଯୋଗାଣ ସଂପୂର୍ଣ୍ଣ ଠପ ହୋଇଯାଇଛି । ଯାହା ଫଳରେ ଜିଲ୍ଲାର ୭୦ ପ୍ରତିଶତ ଗ୍ରାମରେ ଏହା ଉପରେ ନିର୍ଭର କରି ପାନୀୟ ଜଳ ବ୍ୟବହାର କରୁଥିବା ଜନସାଧାରଣ ବହୁତ ଅସୁବିଧାରେ ପଡ଼ିଥିବା ଦେଖିବାକୁ ମିଳିଛି ।
