
ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲା ବିଜେପୁରରୁ ଆସିଛି ଚିକିତ୍ସା ଅବହେଳାର ସାଙ୍ଘାତିକ ଅଭିଯୋଗ । ଚିକିତ୍ସାରେ ଅବହେଳା ଯୋଗୁଁ ଚାଲିଗଲା ଗର୍ଭବତୀ ମହିଳା ଓ ଶିଶୁଙ୍କ ଜୀବନ । ବରଗଡ ଜିଲ୍ଲା ବିଜେପୁରରୁ ଆସିଲା ଅଭାବନୀୟ ଘଟଣା । ବିଜେପୁରର ଏକ ଘରୋଇ ନର୍ସିଂହୋମ ଅମୃତଧାରା ନର୍ସିଂହୋମ୍ ନାଁରେ ଆସିଛି ଏଭଳ ସାଂଘାତିକ ଅଭିଯୋଗ । ନ୍ୟାୟ ପାଇଁ ବରଗଡ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ବିଜେପୁର ଥାନା ଟୁହିଲାମାଲ ଗାଁର ନାରାୟଣ ମହାନନ୍ଦ ନିଜ ଗର୍ଭବତୀ ସ୍ତ୍ରୀ ନଳିନୀ ମହାନନ୍ଦଙ୍କ ପେଟ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଗତ ମଙ୍ଗଳବାର ସକାଳ ୯ ଟାରେ ବିଜେପୁର ସ୍ଥିତ ଅମୃତଧାରା ନର୍ସିଂହୋମ୍କୁ ଆଣିଥିଲେ । ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସମାନେ ତାଙ୍କ ସ୍ତ୍ରୀଙ୍କୁ ସାଲାଇନ୍ – ଇଞ୍ଜେକସନ ଦେଇଥିଲେ ମଧ୍ୟ ଯନ୍ତ୍ରଣା ଆହୁରି ବଢ଼ିଥିଲା । ସ୍ତ୍ରୀର ଯନ୍ତ୍ରଣା ଦେଖି ଅନ୍ୟତ୍ର ରେଫର୍ କରିବା ପାଇଁ ନାରାୟଣ କହିଥିଲେ କିନ୍ତୁ ଡାକ୍ତରଙ୍କୁ ଅପେକ୍ଷା କରିବା ପାଇଁ ନର୍ସିଙ୍ଗହୋମ ତରଫରୁ ତାଙ୍କୁ କୁହାଯାଇଥିଲା । ବିଳମ୍ୱରେ ଡାକ୍ତର ଆସିଥିଲେ ଓ ସେତିକି ବେଳକୁ ଗର୍ଭବତୀ ମହିଳାଙ୍କ ପେଟରେ ଥିବା ଛୁଆର ମୃତ୍ୟୁ ହୋଇ ସାରିଥିଲା । ୱାସ୍ କରିବା ପାଇଁ ନର୍ସିଂହୋମ୍ ତରଫରୁ ଟଙ୍କା ଦାବି କରାଯାଇଥିଲା ଓ ଟଙ୍କା ଡିପୋଜିଟ୍ ସତ୍ତ୍ୱେ ଡାକ୍ତର ତାଙ୍କୁ ନର୍ସିଂହୋମରୁ ଅନ୍ୟତ୍ର ତଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଶେଷରେ ବରଗଡ ଓ ପରେ ବୁର୍ଲା ସରକାରୀ ହସ୍ପିଟାଲରେ ଉଭୟ ମା’ ଓ ଛୁଆଙ୍କ ମୃତ୍ୟୁ ଘଟିଛି । ଠିକ୍ ସମୟରେ ଚିକିତ୍ସା ନ ପାଇ ଗର୍ଭବତୀ ମହିଳା ଓ ପେଟରେ ଥିବା ଛୁଆର ମୃତ୍ୟୁ ପାଇଁ ନର୍ସିଂହୋମ ଓ ଡାକ୍ତରଙ୍କୁ ଦାୟୀ କରିଛନ୍ତି ପୀଡିତାଙ୍କ ସ୍ୱାମୀ ।
