jayashree

ଜୁଲାଇ ୮ରେ ଜିଲ୍ଲାପାଳ ଅଫିସ ଘେରାଓ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଳିବନ୍ଧ ପଞ୍ଚାୟତ ଋଷିକୁଲ୍ୟା ମୁହାଣ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ସମୁଦ୍ର ତଟର ବେଳାଭୂମି ଦ୍ରୁତ ଗତିରେ ଅବକ୍ଷୟ ହେବାରେ ଲାଗିଛି । ବିଶେଷ କରି ଗୋଖରକୁଦା ଠାରୁ ବଟେଶ୍ୱର ମନ୍ଦିର ବେଳାଭୂମି ପର୍ଯ୍ୟନ୍ତ ବେଳାଭୂମି ଅବକ୍ଷେୟ ହେଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ବେଳାଭୂମି ନଷ୍ଟ ହେବା ସହ ବଟେଶ୍ୱର ଠାରୁ ସମୁଦ୍ରକୂଳକୁ ସଂଯୋଗ ରାସ୍ତାବି ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଗଲାଣି । ଏଥିପାଇଁ ସମୁଦ୍ର ଉପକୂଳ ତଟବର୍ତ୍ତୀ ଅଂଚଳରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବତାବରଣ ସୃଷ୍ଟି ହୋଇଛି । ଏଥିପାଇଁ ଆନ୍ଦୋଳନ କ଼ରିବାକୁ ସଜବାଜ ହେଲେଣି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ । ଏନେଇ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ତଥା ତିନି ଗ୍ରାମବାସୀ କଣ୍ଟିଆଗଡ଼, ନୀଳାଦ୍ରି ପୁର ଓ ଖଟୁଆକୁଦା ଗ୍ରାମବାସୀ ବଟେଶ୍ୱର ପୀଠ ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏଥିରେ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ । ପ୍ରଶାସନ ପକ୍ଷରୁ ତୁରିତ ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆସନ୍ତା ୮ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ଓ ଧାରଣା ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି । ଆନ୍ଦୋଳନ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଛି । କଣ୍ଟିଆଗଡ଼ର ଶିବରାମ ପଲାଇ, ପିତାମ୍ବର ସ୍ୱାଇଁ, ରଞ୍ଜିତ ପଲାଇ, ନାରାୟଣ ପ୍ରଧାନ, ସମୟ ସ୍ୱାଇଁ, ରଞ୍ଜନ ପ୍ରଧାନ ଓ କିଶୋର ପ୍ରଧାନ, ଖଟୁଆ କୁଦାପୁର ଗ୍ରାମର ବୃନ୍ଦାବନ ପ୍ରଧାନ, ଶବର କୁମାର ତରାଇ, ଅଜୟ ପ୍ରଧାନ, ପ୍ରଦୀପ ସାହୁ, ପିଣ୍ଟୁ ସାହୁ, ଅଭିରାମ ଗୌଡ଼ ଏବଂ ନୀଳାଦ୍ରିପୁର ଗ୍ରାମର ଦିଲ୍ଲୀପ ଛୋଟରାଏ, ଧର୍ମରାଜ ସ୍ୱାଇଁ, ତ୍ରିଲୋଚନ ପ୍ରଧାନ, ସତୀଶ ସ୍ୱାଇଁ, ବିଦ୍ୟାଧର ପ୍ରଧାନ, ଶ୍ରୀଧର ସ୍ୱାଇଁ ଓ ପିତାମ୍ବର ପ୍ରଧାନ ପ୍ରମୁଖଙ୍କୁ ନେଇ ୧୭ ଜଣିଆ କମିଟି ଗଠନ କରାଯାଇଛି । ଏଥିସହ ପ୍ରତ୍ୟେକ ଗ୍ରାମର ଜଣେ ପୁରୁଷ ଓ ଜଣେ ମହିଳା ଆନ୍ଦୋଳନରେ ସାମିଲ ହେବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । ପାଳିବନ୍ଧ ପଞ୍ଚାୟତ ସମସ୍ତ ଗ୍ରାମରେ ଡାକବାଜି ଯନ୍ତ୍ର ତଥା ମାଇକରେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନତା କରାଯିବ ବୋଲି ଶିବରାମ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୋଡମପେଟା ଗ୍ରାମର ଚାରି ଭାଗରୁ ତିନି ଭାଗ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଲାଣି ଆଉ କିଛି ମାସ ପରେ ସମ୍ପୂର୍ଣ ଅନ୍ୟ ଗ୍ରାମ ଗୁଡିକରେ ସମୁଦ୍ର ଲହଡି ମାରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.