
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ବନ୍ଦ କରାଯାଇଛି । ମାତ୍ର ଛୁଟି ସମୟରେ ଜାରି ରହିବ ପରୀକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ । କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ହେଲାଣି ଲଗାଣ ବର୍ଷା ଜାରି ରହିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି । ଫଳରେ ବିଭିନ୍ନ ନଦୀ, ନାଳ ଫୁଲିବା ସହିତ ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଏନେଇ କନ୍ଧମାଳ ଜିଲ୍ଲା ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ମିଶାଇ ମୋଟ ୪୬୭.୨ ମିଲିମିଟର ବର୍ଷା ହୋଇଛି । ବାଲିଗୁଡାରେ ସର୍ବାଧିକ ୯୦ ମିଲିମିଟର ବର୍ଷା ହୋଇ ରେକର୍ଡ କରାଯାଇଥିବା ବେଳେ ଖଜୁରୀପଡ଼ାରେ ୭୫.୨ ମିଲିମିଟର ଏବଂ ଫିରିଙ୍ଗିଆରେ ୭୨.୬ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି । ସମ୍ଭାବ୍ୟ ଅତିରୁ ଅତି ପ୍ରବଳ ବର୍ଷା ସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଇଛି ବୋଲି କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
