jayashree

ବଲାଙ୍ଗିରରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ : ଆୟୁଷ ଡାକ୍ତରଙ୍କ ଭରସାରେ ରୋଗୀ

ବଲାଙ୍ଗିର : ବଲାଙ୍ଗିରରେ ସରକାରୀ ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟ କାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି । ଏହାର ପ୍ରଭାବରେ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଥିବାବେଳେ ଅନେକ ରୋଗୀ ଚିକିତ୍ସା ପାଇଁ ହଇରାଣ ହେଉଛନ୍ତି । ବର୍ତ୍ତମାନ ଆୟୁଷ ଡାକ୍ତରଙ୍କ ଭରସାରେ ରୋଗୀ ସେବା ଚାଲିଛି । ଓମ୍ସା ଓଡ଼ିଶା ଆକ୍ସନ କମିଟିର ଆହ୍ୱାନକ୍ରମେ ଜୁଲାଇ ୧ ତାରିଖରୁ ରାଜ୍ୟବ୍ୟାପୀ ସରକାରୀ ଡାକ୍ତରମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହାର ପ୍ରଭାବ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ସକାଳରୁ ସରକାରୀ ଡାକ୍ତରମାନେ କାର୍ଯ୍ୟରେ ଯୋଗ ନଦେବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ବହୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଚିକିତ୍ସା ନପାଇ ନିରାଶ ହୋଇ ଫେରିଯାଇଥିବା ଦେଖାଯାଇଛି। ଅନ୍ୟପଟେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଆୟୁଷ ଡାକ୍ତରମାନେ ରୋଗୀ ସେବାରେ ନିୟୋଜିତ ହୋଇଛନ୍ତି । ଡାକ୍ତର ସଂଘର କହିବା ଅନୁଯାୟୀ, ସରକାର ସେମାନଙ୍କ ଦୀର୍ଘଦିନର ପ୍ରାୟ ୧୮ ଦଫା ଦାବି ପୂରଣ କରିବାକୁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାର କୌଣସି ପ୍ରତିଫଳ ମିଳିନାହିଁ। ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ସଂଘର ନିଷ୍ପତ୍ତିକୁ ସମର୍ଥନ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରହିବ ବୋଲି ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ଏପରିସ୍ଥିତିରେ ସାଧାରଣ ରୋଗୀଙ୍କ ଚିକିତ୍ସା ସେବା ସ୍ୱାଭାବିକ କେବେ ହେବ, ସେନେଇ ସମସ୍ତଙ୍କ ନଜର ସରକାର ଓ ଡାକ୍ତର ସଂଘ ମଧ୍ୟରେ ହେବାକୁ ଥିବା ଆଲୋଚନା ଉପରେ ରହିଛି ।

Leave A Reply

Your email address will not be published.