
ବଲାଙ୍ଗିର, (କେପିଏନ୍ଏସ୍) : ନିଶା ସେବନ ଯୁବ ସମାଜକୁ କବଳିତ କରିଛି । ନିଶା ଖୋରମାନେ ସମାଜରେ ନାନାଦି ବିଶୃଙ୍ଖଳା ସୃଷ୍ଟି କରିବା ସହ ଏଥିରେ ଅନେକ ଧନଜୀବନ ନଷ୍ଟ ହେଉଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିରକୁ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ନେଇ ବଲାଙ୍ଗିର ଟାଉନ୍ ପୋଲିସର ଉଦ୍ୟମରେ ବଲାଙ୍ଗିରର ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ବିଭିନ୍ନ ସାମାଜିକ ସଂଗଠନ ମାନଙ୍କୁ ନେଇ ନିଶା ମୁକ୍ତ ଓଡ଼ିଶା ଅଭିଯାନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଟାଉନ ଥାନା ପରିସରରେ ଅନୁଷ୍ଠିତ ଏହି ସଚେତନତା ବୈଠକରେ ନିଶା ସେବନ ଯୋଗୁଁ ବିପଥଗାମୀ ହେଉଥିବା ସମାଜକୁ କିପରି ଏହାଠାରୁ ଦୁରେଇ ରଖାଯାଇପାରିବ, ସେ ବିଷୟରେ ଆଲୋଚନା ହୋଇଥିଲା । ନିଶା ସେବନକୁ ବନ୍ଦ କରିବା ସହ ବଲାଙ୍ଗିରକୁ ନିଶାମୁକ୍ତ ସହର ଭାବରେ ଗଢି ତୋଳିବା ନେଇ ସମସ୍ତେ ଏକ ଶପଥ ପାଠ କରିଥିଲେ । ସମାଜରେ ଘଟୁଥିବା ଅଧିକାଂଶ ଅସାମାଜିକ କାର୍ଯ୍ୟକଳାପ ପଛରେ ଏହି ନିଶା କାରବାରକୁ ହିଁ ଦାୟୀ କରାଯାଇପାରିବ । ସହରରେ ଗଢି ଉଠୁଥିବା ମାଳମାଳ ମଦ ଦୋକାନମାନଙ୍କ ଉପରେ ସରକାର କଟକଣା ଜାରି କଲେ ନିଶା କାରବାରକୁ କିଛିକାଂଶରେ ରୋକା ଯାଇପାରିବ ବୋଲି ଅତିଥିମାନେ କହିଥିଲେ । ବଲାଙ୍ଗିର ଟାଉନ ଥାନା ଇନିସ୍ପେକ୍ଟର ବସନ୍ତ ପାତ୍ର, ଏସ ଆଇ ଚର୍ଚ୍ଚିଲ ମହାପାତ୍ର, ଏଏସ୍ଆଇ ଡି. ଏନ୍ ଷଡ଼ଙ୍ଗୀ ଏବଂ ମମତା ପ୍ରଧାନ ପ୍ରମୁଖ ସମାଜ ଉପରେ ନିଶା ସେବନର କୁପ୍ରଭାବ ସମ୍ପକରେ ବୁଝାଇବା ସହ ଏହାକୁ ରୋକିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟିର ମନୋରଞ୍ଜନ ସାହୁ, ଇଂ ବେଲାର ସିଂ ଭୋଇ, ସ୍ୱରୂପା ରାଣୀ ଠାକୁର, କପିଳେଶ୍ୱର ଖମାରୀ ବଲାଙ୍ଗିର ବ୍ରାହ୍ମଣ ସମାଜ, ବଲାଙ୍ଗିର ନାଗରିକ କମିଟିର ଧର୍ମବ୍ରତ ରଥ, ଗୋପବନ୍ଧୁ ପୁରୋହିତ, ଅବସରପ୍ରାପ୍ତ ଡିଏସ୍ପି ଦୁର୍ଗା ପ୍ରସାଦ ହୋତା ପ୍ରମୁଖ ଯୋଗଦେଇ ପୋଲିସର ନିଶା ମୁକ୍ତ ଓଡ଼ିଶା ଅଭିଯାନକୁ ପ୍ରଶଂସା କରିବା ସହ ବଲାଙ୍ଗିରକୁ ଏକ ନିଶା ମୁକ୍ତ ସହର ଭାବରେ ଗଢିବା ପାଇଁ ଅନୁରୋଧ କରିଥିଲେ ।
