
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜୁନ ୩୦ ତାରିଖରେ ଅଧ୍ୟକ୍ଷ ରହିଥିବା ଅଶ୍ୱିନୀ କୁମାର ପ୍ରଧାନ ଅବସର ଗ୍ରହଣ କରିସାରିଛନ୍ତି । ତେବେ ତାଙ୍କ ସ୍ଥାନରେ ବରିଷ୍ଠତା ଅନୁଯାୟୀ କୃଷ୍ଣ ଚନ୍ଦ୍ର ଶତପଥୀ, ସନ୍ତୋଷ କୁମାର ପଣ୍ତା ଏବଂ ଦେବଦତ୍ତ ଗୁରୁ ଅଧ୍ୟକ୍ଷ ପଦ ପାଇଁ କ୍ରମାଗତ ଭାବରେ ଦାୟିତ୍ୱ ନେବା କଥା, କିନ୍ତୁ ସେମାନେ ଅଧ୍ୟକ୍ଷର ଦାୟିତ୍ୱ ଓ କର୍ତ୍ତବ୍ୟ ତୁଲାଇବା ପାଇଁ ଅନିଚ୍ଛା ପ୍ରକାଶ କରିବା ସହ ଏ ସମ୍ବନ୍ଧରେ ଅଧିକାରୀଙ୍କ ପାଖରେ ସତ୍ୟପାଠ ଦାଖଲ କରିଛନ୍ତି । ସେଥିପାଇଁ ସେମାନେ ଆଗାମୀ ତିନି ବର୍ଷ ପାଇଁ ଆଉ ଅଧ୍ୟକ୍ଷ ପଦରେ ବସି ପାରିବେ ନାହିଁ ଯାହାକି ନିୟମ ରହିଛି । ଯଦି ଯୋଗ୍ୟ ପ୍ରାଧ୍ୟାପକ କୌଣସି ମହାବିଦ୍ୟାଳୟରେ ନାହାନ୍ତି ସେ କ୍ଷେତ୍ରରେ ବରିଷ୍ଠ ଅଧ୍ୟାପକଙ୍କୁ ଦାୟିତ୍ୱ ଦେବାର ନିୟମ ରହିଛି । ଯଦି ଜଣେ କୌଣସି ଶିକ୍ଷକଙ୍କୁ ସରକାର ଅଧ୍ୟକ୍ଷ ଭାବେ ଚୟନ କଲେ ଏବଂ ସେ ଉକ୍ତ ଦାୟିତ୍ୱ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କଲେ ତେବେ ତାଙ୍କୁ ସେ ମହାବିଦ୍ୟାଳୟରୁ ଅନ୍ୟତ୍ର ସ୍ଥାନକୁ ବଦଳି କରିବାର ନିୟମ ରହିଛି । ଆଗାମୀ ତିନି ବର୍ଷ ଯାଏଁ ସେ ଆଉ ଅଧ୍ୟକ୍ଷ ହୋଇପାରିବେ ନାହିଁ । ସରକାରଙ୍କ ଏହି ସବୁ ନିୟମ ରହିଥିବା ସତ୍ତ୍ୱେ ଟିଟିଲାଗଡ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସମାନ ନିୟମରେ ସଇଁନ୍ତଲା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଚୟନ ହୋଇଥିବା ବେଳେ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ଏଭଳି ଚୟନ ପାଇଁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ବୁଦ୍ଧିଜୀବୀ ମହଲରେ ଏହାର ଦୃଢ଼ ଆଲୋଚନା ହେଉଛି । ଏଣୁ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିୟମ ଅନୁସାରେ ଅଧ୍ୟକ୍ଷ ନିୟୋଜିତ କରିବାକୁ ମଧ୍ୟ ଦାବି ଉଠୁଛି । ଏବେ ସେହି ଦୃଷ୍ଟିରୁ ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠତା ତଥା କ୍ରମାନୁସାରେ ଅଧ୍ୟାପକ ବିପିନ କୁମାର ରାଉତ ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ତାଙ୍କ ସ୍ଥାନରେ କିଭଳି ସନ୍ତୋଷ କୁମାର ପଣ୍ତା ଯିଏ କି ପୂର୍ବରୁ ଅନିଚ୍ଛା ପ୍ରକାଶ କରି ସତ୍ୟପାଠ ଦାଖଲ କରିଛନ୍ତି, ତାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ କିପରି ଦିଆଗଲା ? ଏହା ନିୟମର ଉଲଂଘନ ନୁହେଁ କି ? ଏ ଦିଗରେ ବିଚାର କରାଯାଉ ।
