csstore

ସରକାରୀ ବାଳିକା ଓ ପୃଥ୍ୱୀରାଜ ହାଇସ୍କୁଲ ପରିଦର୍ଶନ କଲେ ନରସିଂହ

  • ପଦବୀ ପୂରଣ ଓ ଭିତ୍ତିଭୂମିର ବିକାଶ ଦରକାର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଁ ବିଧାୟକ ଥିବା ସମୟରେ ସ୍କୁଲମାନଙ୍କ ବିକାଶ ଆରମ୍ଭ କରାଯାଇଥିଲା । ଏ ଭିତରେ ୧୦ ବର୍ଷ ହୋଇଗଲାଣି ସମୟ ଅନୁସାରେ ବର୍ତ୍ତମାନ ଆହୁରି କିଛି ବିକାଶ ଦରକାର ହେଉଛି । ଯଦିଓ ଶିକ୍ଷକ କର୍ମଚାରୀଙ୍କ ସ୍ଥିତି ଠିକ୍‌ ଅଛି ବୋଲି ଧରାଯିବ କିନ୍ତୁ ଉଭୟ ଉଚ୍ଚ ବିଦ୍ୟାଳୟରେ ଅଣ ଶିକ୍ଷକ କର୍ମଚାରୀଙ୍କ ଘୋର ଅଭାବ ଅଛି । ତେଣୁ ଏହି ପଦବୀ ପୂରଣ ଲାଗି ବିଭାଗୀୟ ଅଧିକାରୀ ଓ ସରକାରଙ୍କ ସହିତ ଆଲୋଚନା କରି ଏହି ପଦବୀ ପୂରଣ ପାଇଁ ନିଶ୍ଚିତ ଭାବେ ସେ ପଦକ୍ଷେପ ନେବେ ବୋଲି ଉଭୟ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରାର୍ଥନା ସଭା ପାଇଁ ଏକ ଛାଉଣି, ମଧ୍ୟାହ୍ନ ଭୋଜନ ପାଇଁ ଏକ ଭଲ ରନ୍ଧାଘର ତଥା ଏକ କନ୍‌ଫରେନ୍ସ ହଲ ଓ ଅଧିକ ଶ୍ରେଣୀ ଗୃହର ମଧ୍ୟ ଆବଶ୍ୟକତା ଅଛି । ଏ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ପୃଥ୍ୱୀରାଜ ହାଇସ୍କୁଲ ଆଲୋଚନା ବେଳେ ମଧ୍ୟ ଅଣ ଶିକ୍ଷକ କର୍ମଚାରୀଙ୍କ ଅଭାବ ଅଛି ବୋଲି ଜଣାଯାଇଥିଲା । ସ୍କୁଲର ଟିଚର କମନ ରୁମ୍‌ର ମୁଖ୍ୟ ପ୍ଲାଟିନିୟମ ଜୁବୁଲି ଗେଟ ପଟରେ କିଛି ସୌନ୍ଦର୍ଯ୍ୟକରଣ କାମ ପାଇଁ ଆଲୋଚନା ହୋଇଥିଲା । ଉଭୟ ହାଇସ୍କୁଲରେ ଶୃଙ୍ଖଳା, ଉପସ୍ଥାନ ତଥା ପରୀକ୍ଷା ଫଳକୁ ନେଇ ଶ୍ରୀ ମିଶ୍ର ସନ୍ତୁଷ୍ଟି ପ୍ରକାଶ କରିଥିଲେ । ପିଆର୍‌ ହାଇସ୍କୁଲରେ କିଛି କିଛି କୋଠା ବିପଦ ଶଙ୍କୁଳ ଅବସ୍ଥାରେ ଥିବାରୁ ସେ ସବୁକୁ ଶୀଘ୍ର ଭଙ୍ଗାଯାଇ ନୂତନ ଭିତ୍ତିଭୂମି ନିର୍ମାଣ ଆବଶ୍ୟକ । ପିଆର୍‌ ହାଇସ୍କୁଲ ଖେଳ ପଡିଆର ଉନ୍ନତିକରଣ, ସେଠାରେ ଟୟଲେଟ ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ପରିଦର୍ଶନ ସମୟରେ ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠି, ଶିକ୍ଷକ ବିକାଶ ସାହୁ, କ୍ରୀଡା ଶିକ୍ଷକ ସୌରଭ ପ୍ରଧାନ ଓ ବାଳିକା ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୁପା ସାମନ୍ତରା, ଶିକ୍ଷୟିତ୍ରୀ ନୂତନ ନାୟକଙ୍କ ସମେତ ଉଭୟ ସ୍କୁଲର ସମସ୍ତ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.