
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାରେ ବୃକ୍ଷରୋପଣ କାର୍ଯ୍ୟକୁ ନେଇ ବନ ବିଭାଗର କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ତେବେ ଭାଇରାଲ ଭିଡିଓର ସତ୍ୟତାକୁ ସ୍ୱାଧୀନ ଭାବେ ପୁଷ୍ଟି କରାଯାଇନାହିଁ । ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ତୁରେକେଲା ଥାନା ଯୁବାମାଲ ଗାଁର ମୁଣ୍ଡାପଡ଼ା ଅଞ୍ଚଳରେ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ ଚାଲିଥିଲା । ପୂର୍ବରୁ ଜଙ୍ଗଲ ଜମି ଦଖଲ ହୋଇଥିବା ସ୍ଥାନରେ ଏହି କାର୍ଯ୍ୟ କରାଯାଉଥିବା ବେଳେ ତଦାରଖ ପାଇଁ ଯାଇଥିବା ଜଣେ ଫରେଷ୍ଟରଙ୍କୁ କିଛି ଗ୍ରାମବାସୀ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଅନ୍ୟ ବନ କର୍ମଚାରୀ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରାଯାଇଥିବା ଅଭିଯୋଗ ରହିଛି । ଏହି ଘଟଣାରେ ଜଣେ ଫରେଷ୍ଟର, ତିନିଜଣ ଫରେଷ୍ଟ ଗାର୍ଡ ଏବଂ ଦୁଇଜଣ ପାରା ସ୍କ୍ୱାଡ୍ ସଦସ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସରକାରୀ ବୃକ୍ଷରୋପଣ କାର୍ଯ୍ୟ ସମୟରେ ବନ ବିଭାଗର କର୍ମଚାରୀଙ୍କ ଉପରେ ଏଭଳି ଆକ୍ରମଣ ଘଟଣାକୁ ନେଇ ଜିଲ୍ଲାରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଏପଟେ ଘଟଣାକୁ ଗୁରୁତ୍ୱର ସହ ନେଇ ତୁରେକେଲା ପୋଲିସ ତଦନ୍ତ ଆରମ୍ଭ କରିଛି । କିଛି ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ଜାରି ରହିଛି । ତେବେ ଘଟଣା ସମ୍ପର୍କରେ ପୋଲିସର ଆନୁଷ୍ଠାନିକ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।
