
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଘୁଷୁରାମୁଣ୍ଡା ଗାଁରେ ଦଳିତ ଜାତିର ମହିଳାଙ୍କୁ ପାଚିକା ପଦରୁ ବିରୋଧ ପରେ ପାଚିକାଙ୍କ ସମର୍ଥନରେ ଗାଁକୁ ପହଞ୍ଚିଛି ଲକ୍ଷେଘର ଗଣ୍ଡା ସମାଜ । ଗାଁର ଜଣେ ଉଚ୍ଚ ଶିକ୍ଷିତ ଦଳିତ ଜାତିର ମହିଳା ପୂଣ୍ୟା ହରିପାଳ ଘୁଷୁରାମୁଣ୍ଡା ଗ୍ରାମ ୬ ନମ୍ବର ୱାର୍ଡ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଚିକା ନିଯୁକ୍ତିକୁ ନେଇ ଦେଖାଦେଇଛି ଉତ୍ତେଜନା । ନୂତନ ନିଯୁକ୍ତ ଦଳିତ ପାଚିକାଙ୍କୁ ବିରୋଧ କରି ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଥିବାରୁ ଅଙ୍ଗନୱାଡ଼ିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଛି । ଗାଁରେ ଜଣେ ଦଳିତ ଜାତିର ମହିଳାଙ୍କୁ ଅସମ୍ମାନ ଅପମାନ ଘଟଣାକୁ ଦେଖି ସମର୍ଥନରେ ଗାଁକୁ ପହଞ୍ଚିଛି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଲକ୍ଷେଘର ଗଣ୍ଡା ସମାଜ । ସଭାପତି ଗୋବିନ୍ଦ ତାଣ୍ଡିଙ୍କ ନେତୃତ୍ୱରେ ଶହ ଶହ ଯୁବକ ଘୁଷୁରାମୁଣ୍ଡା ଗାଁକୁ ପହଞ୍ଚି ପାଚିକା ପୂଣ୍ୟା ହରିପାଳକୁ ସାକ୍ଷାତ କରି ଘଟଣାର ସମ୍ପର୍କରେ ପଚାରିବା ସହ ସମାଜ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ଯଦି ଜଣେ ଉଚ୍ଚ ଶିକ୍ଷିତ ମହିଳା ଆଜି ଜାତି ପାଇଁ ହଟହଟା ହେଉଛି ତେବେ ଦଳିତ ଜାତିର ସାଧାରଣ ଲୋକଙ୍କ ଅସୁବିଧା କଣ ହେବ ଅନୁମାନ କରନ୍ତୁ ? ରାଜ୍ୟରେ ଏହିଭଳି ଦିନକୁ ଦିନ ଜାତିପ୍ରଥା ବୃଦ୍ଧିକୁ ନେଇ ସଭ୍ୟ ସମାଜ ପାଇଁ ଏହା ଏକ ଅତି ନିନ୍ଦନୀୟ ଘଟଣା ଅଟେ । ଯଦି ଦଳିତ ଜାତି ପାଇଁ ଲୋକମାନଙ୍କୁ ଏତେ ଅସୁବିଧା ହେଉଛି ତେବେ ଦଳିତ ଜାତିକୁ ସରକାର ସ୍ୱତନ୍ତ୍ର ରାଜ୍ୟ ଦିଅନ୍ତୁ ବୋଲି ସଭାପତି ଗୋବିନ୍ଦ ତାଣ୍ଡି ଦାବି କରିବା ସହ ପାଚିକା ପୂଣ୍ୟା ହରିପାଳଙ୍କୁ ପ୍ରଶାସନ ଶୀଘ୍ର ନ୍ୟାୟ ପ୍ରଦାନ କରନ୍ତୁ, ନଚେତ୍ ଲକ୍ଷେଘର ଗଣ୍ଡା ସମାଜ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବ ବୋଲି ଖୋଲା ଚେତାବନୀ ଦେଇଛନ୍ତି ।
