
ରାଉରକେଲା, (ସସ୍ମିତା ପ୍ରଧାନ) : ସହର ରାସ୍ତାର ଫୁଟପାଥରେ ଚାଲିବା ଲୋକଙ୍କ ମୌଳିକ ଅଧିକାର ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦୁଇ ଜଣିଆ ଖଣ୍ଡପୀଠ । ଲୋକଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ପ୍ରଶାସନର ଦାୟିତ୍ୱ । ରାସ୍ତାରେ ଗାଡି ଚାଳନା ସରକାରଙ୍କ ପରିବହନ ବିଭାଗ ଦ୍ଵାରା ନିୟନ୍ତ୍ରିତ ହେଉଥିବା ବେଳେ ଫୁଟପାଥଗୁଡିକ ପରିବହନ ବିଭାଗ ଅଧୀନରେ ରହିବ ନାହିଁ । ଫୁଟପାଥ ଜବରଦଖଲ କିମ୍ବା କାହା ଅକ୍ତିଆରରେ ରହିଲେ, ତାକୁ ନିୟନ୍ତ୍ରଣ ମୁକ୍ତ କରିବା ପ୍ରଶାସନର ଦାୟିତ୍ୱ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଏକ ପିଲା ରାସ୍ତାରେ ଚାଲୁଥିବା ବେଳେ ଗାଡି ଧକ୍କାରେ ପ୍ରାଣ ହରାଇବା ମାମଲାର ବିଚାର କରି ଏପରି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତର ଦୁଇ ଜଣିଆ ଖଣ୍ଡପୀଠ । ଭାରତରେ ଏକ ସୀମାବଦ୍ଧ (ଫୁଟପାଥ) ପାଦଚଲା ରାସ୍ତାରେ ଚାଲିବା ଏକ ସ୍ୱୀକୃତ ମୌଳିକ ଅଧିକାର । ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ, ସୁରକ୍ଷିତ ପାଦଚଲା ରାସ୍ତାରେ ସୁରକ୍ଷିତ ଭାବରେ ଚାଲିବାର ଅଧିକାର ଧାରା ୨୧ ଅନୁଯାୟୀ ଜୀବନ ଅଧିକାର ଏବଂ ସମ୍ବିଧାନର ଧାରା ୧୯(୧)(ଡି) ଅନୁଯାୟୀ ମୁକ୍ତ ଗତିର ଅଧିକାର ସହିତ ଅବିଚ୍ଛେଦ୍ୟ ଭାବରେ ଜଡିତ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ପଦଯାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଐତିହାସିକ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ ଘୋଷଣା କରିଛନ୍ତି ଯେ ସୁରକ୍ଷିତ, ସୀମାବଦ୍ଧ ପାଦଚଲା ରାସ୍ତାରେ ଚାଲିବା ଜଣେ ପଦଯାତ୍ରୀଙ୍କ ଅଧିକାର ଏବଂ ମୋଟରଯାନ ଗତି ଏବଂ ସୁବିଧା ଅପେକ୍ଷା ସମ୍ପୂର୍ଣ୍ଣ ଅଗ୍ରାଧିକାର ନେଇଥାଏ । ମହାନଗର ନିଗମ, ପଞ୍ଚାୟତ ଏବଂ ନଗର ଉନ୍ନୟନ ବିଭାଗ କର୍ତ୍ତୃପକ୍ଷମାନଙ୍କର ସୁରକ୍ଷିତ, ବାଧାମୁକ୍ତ ପାଦଚଲା ରାସ୍ତା ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କରିବା ଏକ ପ୍ରବର୍ତ୍ତନୀୟ ଆଇନଗତ କର୍ତ୍ତବ୍ୟ । ଫୁଟପାଥ ବାଧାମୁକ୍ତ ହେବା ପାଇଁ ଡିଜାଇନ୍ ହେବା ଆବଶ୍ୟକ, ଯାହା ପିଲା, ବୃଦ୍ଧ ଏବଂ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ନିରାପଦ ବ୍ୟବହାର ସୁନିଶ୍ଚିତ କରିବ । ନାଗରିକମାନେ ଫୁଟପାଥରେ ଚାଲିବା ବେଳେ ଅସୁବିଧାର ସମ୍ମୁଖୀନ ହେଲେ ଏହାର ପ୍ରତିକାର ଲୋଡ଼ିବା ଏବଂ ସୁରକ୍ଷିତ, ଜବରଦଖଲମୁକ୍ତ ପାଦଚଲା ସ୍ଥାନ ପ୍ରଦାନ କରିବାରେ ବିଫଳ ହେବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଆଇନଗତ ଭାବରେ ଦାୟୀ କରିବା ପାଇଁ ସାମ୍ବିଧାନିକ ଆଧାର ଅଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ରାଜ୍ୟର ଥିବା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ ପୁରୀ ମହାନଗର ନିଗମ ଅଞ୍ଚଳର ଫୁଟପାଥକୁ କିପରି ନିୟନ୍ତ୍ରଣ ମୁକ୍ତ କରି ପଥଚାରୀଙ୍କ ଚାଲିବାର ମୌଳିକ ଅଧିକାରକୁ ସୁରକ୍ଷା ଦେବାରେ ସମର୍ଥ ହୋଇପାରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।
