csstore

ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : “ନିଶା ମୁକ୍ତ ଭାରତ ଅଭିଯାନ – ବିକଶିତ ଭାରତର ପରିଚୟ” ଥିମ୍‌କୁ ଆଧାର କରି ପାନପୋଷ ଉପଖଣ୍ଡରେ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ–୨୦୨୬ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଚାନ୍ଦିନୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉଦିତନଗର ହାଇସ୍କୁଲରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମିନୁ ତାଣ୍ଡିଆ, ଉପଖଣ୍ଡ କ୍ଷୁଦ୍ର ସଞ୍ଚୟ ଅଧିକାରୀ ପ୍ରକାଶ କୁମାର ଦାଶ, ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ, ଉଦିତ ନଗର ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ଶାଖାର କର୍ମଚାରୀମାନେ କାର୍ଯ୍ୟକ୍ରମର ସୁଚାରୁ ଆୟୋଜନରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ । ଏଥିସହିତ ଦିଶା ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସକ୍ରିୟ ଭାବେ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ପ୍ରବନ୍ଧ ଲେଖନ ଓ ବକ୍ତୃତା ପ୍ରତିଯୋଗିତା ସହିତ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉପଖଣ୍ଡର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଉତ୍ସାହର ସହିତ ଏହି ପ୍ରତିଯୋଗିତାଗୁଡ଼ିକରେ ଅଂଶଗ୍ରହଣ କରିଥିଲେ । ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭାର ଆରମ୍ଭରେ ଶ୍ରୀମତୀ ମିନୁ ତାଣ୍ଡିଆ ସଭାର ଶୁଭାରମ୍ଭ କରିଥିଲେ । ପରେ ଏସ୍‌ଏସ୍‌ଏସ୍‌ଓ ଶ୍ରୀମତୀ ତାଣ୍ଡିଆ ନିଶାଦ୍ରବ୍ୟ ଦୁର୍ବ୍ୟବହାରର ଗୁରୁତର କୁପ୍ରଭାବ, ଯୁବପିଢ଼ିର ଭବିଷ୍ୟତ ଉପରେ ଏହାର ଧ୍ୱଂସାତ୍ମକ ପରିଣାମ ଏବଂ ଏକ ନିଶାମୁକ୍ତ ସମାଜ ଗଠନର ଆବଶ୍ୟକତା ସମ୍ପର୍କରେ ସବିସ୍ତାର ଆଲୋକପାତ କରିଥିଲେ । ଉପଖଣ୍ଡ କ୍ଷୁଦ୍ର ସଞ୍ଚୟ ଅଧିକାରୀ ପ୍ରକାଶ କୁମାର ଦାଶ ମାଦକଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ପାଚାରର ଭୟାବହ ପ୍ରଭାବ ଉପରେ ଜୋର ଦେଇ ସମାଜର ସଂଯୁକ୍ତ ଦାୟିତ୍ୱ ମାଧ୍ୟମରେ ଏହାକୁ ପ୍ରତିହତ କରିବାକୁ ଆହ୍ୱାନ ଜଣାଇଥିଲେ । ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ନିଶାଦ୍ରବ୍ୟ ବିରୋଧରେ ସଚେତନ ରହିବା ସହ ସମାଜରେ ସଚେତନତା ବିସ୍ତାର କରିବାକୁ ପ୍ରେରିତ କରିଥିଲେ । ଅଧ୍ୟକ୍ଷୀୟ ଅଭିଭାଷଣରେ ଶ୍ରୀମତୀ ଚାନ୍ଦିନୀ ନିଶାଦ୍ରବ୍ୟ ସେବନର ହାନିକାରକ ପ୍ରଭାବ, ଯୁବପିଢ଼ିର ଭବିଷ୍ୟତ ଉପରେ ଏହାର ଗଭୀର ନକାରାତ୍ମକ ପ୍ରଭାବ ଏବଂ ଅବୈଧ ପାଚାର ନିୟନ୍ତ୍ରଣରେ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତ ଗଠନର ଦୃଢ଼ ଭିତ୍ତିସ୍ଥମ୍ଭ । କାର୍ଯ୍ୟକ୍ରମର ସମାପନ ଅବସରରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମିନୁ ତାଣ୍ଡିଆ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଂଶଗ୍ରହଣକାରୀଙ୍କୁ ହୃଦୟପୂର୍ଣ୍ଣ କୃତଜ୍ଞତା ଜଣାଇ ସଭାର ଶୁଭସମାପନ ଘୋଷଣା କରିଥିଲେ ।

jayashree
Leave A Reply

Your email address will not be published.