
ବଲାଙ୍ଗିର, (କେପିଏନ୍ଏସ୍) : ଏକ ସୁସ୍ଥ, ସଚେତନ ଏବଂ ପିରିଅଡ୍-ଫ୍ରେଣ୍ଡଲି ସମାଜ ଗଠନର ଲକ୍ଷ୍ୟ ନେଇ ବରଗଡ଼ ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମପଞ୍ଚାୟତର ପଲ୍ଲୀ ଆଲୋକ ପାଠାଗାର ଓ ରିବୁଲ୍ଡ ଇଣ୍ଡିଆ ସହାୟତାରେ ଋତୁଶ୍ରାବ ପରିଷ୍କାର ଓ ପରିଚ୍ଛନ୍ନତା ଦିବସ ଉସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ମାସିକ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ସହିତ ସମାଜରେ ରହିଥିବା ଅନ୍ଧବିଶ୍ୱାସ ଓ ଲଜ୍ଜ୍ୟାବୋଧକୁ ଦୂର କରିବା । ଏହି ସଚେତନତା କାର୍ଯ୍ୟକ୍ରମରେ ଫଟାମୁଣ୍ଡା କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଏଏନ୍ଏମ୍, ୱାର୍ଡ ସଦସ୍ୟ, ସ୍ଥାନୀୟ ମାଆମାନେ ଏବଂ କିଶୋରୀ ଗୋଷ୍ଠୀର ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ମାସିକ ସ୍ୱାସ୍ଥ୍ୟ ନେଇ ଖୋଲା ଆଲୋଚନା କରିଥିଲେ ଏବଂ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ । କାର୍ଯ୍ୟକ୍ରମରେ ପଲ୍ଲୀ ଆଲୋକ ପାଠାଗାରର ପ୍ରଶାନ୍ତ କୁଆଁର ମାସିକ ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ, ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ, ସ୍ୱଚ୍ଛ ସାନିଟାରୀ ନାପକିନ ବ୍ୟବହାର ଓ ନିୟମିତ ସ୍ୱଚ୍ଛତା ଅଭ୍ୟାସ ଉପରେ ମୂଲ୍ୟବାନ ମତ ପ୍ରକାଶ କରିଥିଲେ । ମହିଳା ଓ କିଶୋରୀମାନଙ୍କୁ ନିର୍ଭୟ ଭାବରେ ନିଜ ସମସ୍ୟା ଆଲୋଚନା କରିବାକୁ ଉତ୍ସାହିତ କରାଇଥିଲେ । ଏହାସହ କାର୍ଯ୍ୟକ୍ରମରେ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ କିଶୋରୀମାନଙ୍କ ମଧ୍ୟରେ ମାସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଜ୍ଞାନ ବୃଦ୍ଧି ପାଇଥିଲା । ସଚେତନତା ବୃଦ୍ଧି ପାଇଁ ଚିତ୍ରାଙ୍କନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଥିରେ ଅଂଶଗ୍ରହଣକାରୀମାନେ ସୁନ୍ଦର ସଚେତନତାମୂଳକ ଚିତ୍ର ଅଙ୍କନ କରିଥିଲେ । ଅନ୍ତେ ସମସ୍ତ କିଶୋରୀ ଓ ମହିଳାମାନଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କରାଯାଇଥିଲା । କିଶୋରୀମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ଓ ପେଡ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସମାଜରେ ମାସିକ ସ୍ୱାସ୍ଥ୍ୟ ପ୍ରତି ସକରାତ୍ମକ ମନୋଭାବ ସୃଷ୍ଟି କରିବା ସହିତ କିଶୋରୀ ଓ ମହିଳାମାନଙ୍କୁ ସଚେତନ କରିବାରେ ଏକ ସଫଳ ପଦକ୍ଷେପ ରୂପେ ପରିଗଣିତ ହୋଇଛି । ଶେଷରେ ସସ୍ମିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।