
ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ଟଙ୍କା ଆତ୍ମସାତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି
- ଅଧ୍ୟକ୍ଷା ଉଚ୍ଚ ଶିକ୍ଷା ବିଭାଗକୁ ରିପୋର୍ଟ ଦେଲେ, ଥାନାରେ ଏତଲା ଦେବାକୁ କୁଣ୍ଠା କାହିଁକି ?
ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଠାରେ ଥିବା ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ତହବିଲରୁ ୩୭ ଲକ୍ଷ ଟଙ୍କା ଆତ୍ମସାତ୍ ଘଟଣା ଘଟିବା ପରେ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଘଟଣା ବିଷୟରେ ଉଚ୍ଚ ଶିକ୍ଷା ବିଭାଗକୁ ଜଣାଇଥିଲେ । ଏନେଇ ତଦନ୍ତ କରିଛି ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କମିଟି । ଅଭିଯୁକ୍ତ ଅଧ୍ୟାପକ ମହେନ୍ଦ୍ର ତନୟା ଟୁଡୁ ତଦନ୍ତ କମିଟି ସମ୍ମୁଖରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ । ବର୍ଷେ ଭିତରେ ସେ ମହାବିଦ୍ୟାଳୟ ଏକାଉଣ୍ଟରୁ ୩୭ ଲକ୍ଷରୁ ଅଧିକ ଟଙ୍କା ଉଠେଇ ନେଇଥିବା ସ୍ୱୀକାର କରିଛନ୍ତି । ଶ୍ରୀ ଟୁଡୁ କହିଥିଲେ ଯେ “ବେଳ ଖରାପ ପଡ଼ିବାରୁ ଏଭଳି ଘଟିଲା” । କମିଟି ଉଚ୍ଚ ଶିକ୍ଷା ବିଭାଗକୁ ତଦନ୍ତ ରିପୋର୍ଟ ଦେଇଛି । ଏଠାରେ ପ୍ରଶ୍ନ ଉଠେ ଯେ, ଏତେ ବଡ଼ ଦୁର୍ନୀତି ଘଟିଥିଲେ ମଧ୍ୟ ଅଧ୍ୟକ୍ଷା ଥାନାରେ କାହିଁକି ଏତାଲା ଦେଲେ ନାହିଁ ? ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧ୍ୟାପକ ଶ୍ରୀ ଟୁଡୁ ମହାବିଦ୍ୟାଳୟ ହଷ୍ଟେଲ ଅଧୀକ୍ଷକ ମଧ୍ୟ ଅଛନ୍ତି । ହଷ୍ଟେଲ ଛାତ୍ରଛାତ୍ରୀ ନାମଲେଖା ବେଳେ ମେସ୍ ଓ ଅନ୍ୟାନ୍ୟ ବାବଦକୁ ବାର୍ଷିକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ପୈଠ କରିଥାନ୍ତି । ସେହି ଟଙ୍କା କଲେଜ ଏକାଉଣ୍ଟରେ ଜମା ହୋଇଥାଏ । ଶ୍ରୀ ଟୁଡୁ ଆର୍ଥିକ ଦେଣନେଣ କରିଥାନ୍ତି । ଏହା ଭିତରେ ସେ ମହାବିଦ୍ୟାଳୟ ତହବିଲକୁ ଭିତରୁ ଭିତରୁ ସଫା କରି ଦେଇଛନ୍ତି । ଅଧ୍ୟକ୍ଷାଙ୍କ ବିନା ଅନୁମତିରେ ସେ ଗତ ଡିସେମ୍ବର ମାସରେ କଲେଜ ଏକାଉଣ୍ଟରୁ ୩ ଲକ୍ଷ ଟଙ୍କା ନିଜ ଏକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଏଥିସହିତ ୨୦୨୬ ଜାନୁଆରୀ ମାସରେ ୨୦ ଲକ୍ଷ ଟଙ୍କା, ଫେବୃଆରୀ ମାସରେ ୧ ଲକ୍ଷ ୫୦ ହଜାର ଟଙ୍କା ଓ ମଇ ମାସ ୧୨ ତାରିଖରେ ୩୫ ହଜାର ଟଙ୍କା ଖର୍ଚ୍ଚ କରି ଦେଇଥିଲେ । ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ କଲେଜରେ ନାମଲେଖା ଦାୟିତ୍ୱରେ ରହିଥିଲେ ଶ୍ରୀ ଟୁଡୁ । ଛାତ୍ରଛାତ୍ରୀ ହଷ୍ଟେଲ ଫି, କସନ ମନି ସମେତ ବିଭିନ୍ନ ବାବଦରେ କଲେଜରେ ଟଙ୍କା ଜମା କରିଥିଲେ । ଶ୍ରୀ ଟୁଡୁ ଛାତ୍ରଛାତ୍ରୀଙ୍କୁ ମନି ରିସିପ୍ଟ ଦେଇଥିଲେ । ଏହି ଟଙ୍କାକୁ ସେ କଲେଜ ଏକାଉଣ୍ଟରେ ଜମା ନକରି ନିଜେ ଉଦରସ୍ଥ କରି ପକାଇଥିଲେ । ଦୁଇଦିନ ହେଲା ମହାବିଦ୍ୟାଳୟର ଏକାଉଣ୍ଟସ ବିଭାଗର ଘଣ୍ଟାଚକଟା ପରେ ଏସବୁ ସାଂଘାତିକ କଥା ଜଣାପଡିଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ଘଟଣାର ତଦନ୍ତ କରିଛି । ୪୫ ଦିନ ମଧ୍ୟରେ ସବୁ ଟଙ୍କା ଫେରାଇଦେବେ ବୋଲି ଅଭିଯୁକ୍ତ ଅଧ୍ୟାପକ ପ୍ରତିଶ୍ରୁତି ଦେଇଥିବା ମଧ୍ୟ ସୂଚନା ମିଳିଛି । ଅଧ୍ୟକ୍ଷା ଥାନାରେ ଏତଲା ନଦେଇ ଅପରାଧକୁ ଘଣ୍ଟ ଘୋଡ଼ାଇବା ସହ ଅପରାଧୀକୁ ସୁରକ୍ଷା ଦେବାକୁ ପ୍ରୟାସ କରିଛନ୍ତି ବୋଲି ଅଭିଯୋଗ ହେଉଛି । ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଗତ ଦିନରେ ଏଭଳି ବହୁ ଆର୍ଥିକ ହେରାଫେରି ଅଭିଯୋଗ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି । ଏହାର ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି ହେଉଛି ।