
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଞ୍ଚାୟତ ଅନ୍ତର୍ଗତ ଆର୍ଡି ରାସ୍ତାରୁ କାଂସଡା ଭାୟା ଢେଙ୍କିମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଏହି ରାସ୍ତା ଉପରେ କାଂସଡା ଓ ଢେଙ୍କିମୁଣ୍ଡା ଗ୍ରାମବାସୀଙ୍କ ଦୈନିକ ଯାତାୟାତ ସମ୍ପୂର୍ଣ୍ଣ ନିର୍ଭର କରୁଥିବାବେଳେ ରାସ୍ତାର ଅବସ୍ଥା ଲୋକଙ୍କ ପାଇଁ ଅସୁବିଧାର କାରଣ ହୋଇଛି । ବିଶେଷକରି ବର୍ଷାଋତୁରେ ରାସ୍ତା କାଦୁଆ ଓ ଖାଲଖମାରେ ପରିଣତ ହୋଇ ଯାତାୟାତ ବିପଦଜନକ ହୋଇପଡ଼ୁଛି । ଏହି ରାସ୍ତା ଦେଇ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଢେଙ୍କିମୁଣ୍ଡା ହାଇସ୍କୁଲକୁ ପଢ଼ିବାକୁ ଯାଉଥିବାବେଳେ ବର୍ଷାଦିନରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଗାଡ଼ି ମଧ୍ୟ ଚଳାଚଳ କରିବା ଅସମ୍ଭବ ହୋଇପଡ଼ୁଥିବା ଅଭିଯୋଗ ହୋଇଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ଶୀଘ୍ର ରାସ୍ତାର ମରାମତି କିମ୍ବା ପକ୍କା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।