
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡ଼ା ପଞ୍ଚାୟତର କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବାଇକ ଚାଳକ କୁଡକେଲକିଆ ଗାଁର ବୀରେନ୍ଦ୍ର ମଲ୍ଲିକ ବୋଲି ଜଣାପଡିଛି । ଯୁବକ ଜଣକ ନିଜ ଗାଁ କୁଡକେଲକିଆରୁ ବାଇକରେ ମେଲସିକିଆ ଗାଁକୁ ଯାଉଥିବା ସମୟରେ ଡାକା ଅଭିମୁଖେ ଯାଉଥିବା ସରକାରୀ ମୁଖ୍ୟମନ୍ତ୍ରୀ ବସ୍ ଧକ୍କା ଦେଇଥିଲା । ତେବେ ଯୁବକଙ୍କ ମୃତ୍ୟୁପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ବସ ଡ୍ରାଇଭର ଘଟଣା ସ୍ଥଳରୁ ଦୁର୍ଘଟଣା ପରେ ଫେରାର ଥିବା ଜଣାପଡିଛି । ମୃତକଙ୍କ ପରିବାରକୁ ନ୍ୟାୟ ଓ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ମୃତଦେହକୁ ଶବ ବ୍ୟବଛେଦ ପାଇଁ ହସ୍ତାନ୍ତର ଦେବାକୁ ମନା କରିଥିଲେ । ଏଥିସହ ଦୁର୍ଘଟଣା ଘଟାଇଥିବା ସରକାରୀ ବସ୍କୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ । ବାଲିଗୁଡା ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ନେଇ ପ୍ରତିଶୃତି ଦେବା ପରେ ସ୍ଥାନୀୟ ବାସିନ୍ଦା ମୃତଦେହ ଛାଡିଥିଲେ ।