
ପାଟଣାଗଡ଼ : ମଣିଷ ଚନ୍ଦ୍ର ପୃଷ୍ଠକୁ ଯାଇ ସେଠାରେ ବସତି ସ୍ଥାପନ ପାଇଁ ଯୋଜନା କରୁଥିବାବେଳେ ଆଧୁନିକ ଯୁଗରେ ମଧ୍ୟ କୁ-ସଂସ୍କାର, ଅନ୍ଧ ବିଶ୍ୱାସ, ଜାତି ପ୍ରଥା ଜୀବିତ ଅଛି । କୁ-ସଂସ୍କାର, ଅନ୍ଧ ବିଶ୍ୱାସ, ଜାତିପ୍ରଥା ଆଗରେ ଉଚ୍ଚ ଶିକ୍ଷା, ଶିକ୍ଷିତ ସମାଜ ଆଜି ବି ମୁଣ୍ଡ ନୁଆଁଇଛି । ଅନ୍ୟ ଜାତିରେ ବିବାହ କରିବା କଣ ଭୁଲ ? ଅନ୍ୟ ଜାତିରେ ବିବାହ କରିବା କଣ ପାପ ? ମଣିଷକୁ କ’ଣ ଏଇଥି ପାଇଁ ଶ୍ରେଷ୍ଠ ଜୀବ କୁହାଯାଏ ? ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ପଞ୍ଚାୟତର ବେହେରାବନ୍ଧ ଗ୍ରାମରେ । ଗ୍ରାମର ୭୫ ବର୍ଷୀୟ ବୃଦ୍ଧ ପୁଟୁ ମଲ୍ଲିକଙ୍କ ଗତ କାଲି ସନ୍ଧ୍ୟାରେ ମୃତ୍ୟୁ ହୋଇଛି । ତାଙ୍କର ସ୍ତ୍ରୀ ଅନ୍ୟ ଜାତିର ଏବଂ ବିଗତ ଦୁଇ ବର୍ଷ ପୂର୍ବେ ତାଙ୍କର ଦେହାନ୍ତ ହୋଇଛି । ବର୍ତମାନ ତାଙ୍କର ପୁଅ କେହି ନାହାନ୍ତି, କେବଳ ଝିଏ ଟିଏ ସେ ମଧ୍ୟ ବାହା ହୋଇ ସାରିଛନ୍ତି । ମୃତ୍ୟୁ ସମୟରେ ତାଙ୍କର ଶବକୁ ଚାରି କାନ୍ଧ ଦେବାକୁ, ଶବ ସତ୍କାର କରିବାକୁ ନିଜ ସମ୍ପର୍କୀୟ କିମ୍ବା ଗାଁ ଲୋକ ମଧ୍ୟ କେହି ବାହାରିଲେ ନାହିଁ । ସମସ୍ତଙ୍କୁ କେବଳ ଜାତି ବାସନ୍ଦ ଭୟ, ଆମ୍ଭେ ଶବ ସତ୍କାର କିମ୍ବା ଶବ ସତ୍କାର କାର୍ଯ୍ୟରେ ସହଯୋଗ କଲେ କାଳେ ଆମ୍ଭକୁ ମଧ୍ୟ ଜାତିରୁ ବାସନ୍ଦ କରିଦେବେ ଭୟରେ କେହି ପାଖକୁ ମଧ୍ୟ ଆସିଲେ ନାହିଁ । ପ୍ରାୟ ଦୁଇ ଘଣ୍ଟା ସମୟ ଧରି ନିଜ ଘରେ ଶବ ପଡ଼ି ରହିଥିଲା । ଶବ ସତ୍କାର କରିବା ପାଇଁ ସମାଜସେବୀ ତଥା ଆଦିବାସୀ ନେତା ଗିରିରାଜ ଭୋଇଙ୍କୁ ରାତ୍ରୀ ପ୍ରାୟ ଆଠ ଘଣ୍ଟା ସମୟରେ ଫୋନ୍ କରି ଘଟଣା ବିଷୟରେ ଅବଗତ କରେଇଲେ । ଖବର ପାଇ ଗିରିରାଜ ଭୋଇଙ୍କ ସହିତ ସମାଜସେବୀ ଜନସନ ନାଗ, ସାମ୍ବାଦିକ ପ୍ରବୀଣ ଭାଇ ପୁରୋହିତ, ସାମ୍ବାଦିକ ଅଭିମନ୍ୟୁ ବାଗ ମୃତ୍ୟୁ ସ୍ଥଳକୁ ପହଁଞ୍ଚି ଥିଲେ । ପ୍ରଥମେ ଗ୍ରାମର କିଛି ବ୍ୟକ୍ତିଙ୍କୁ ଶବ ସତ୍କାର କରିବାକୁ ଅନୁରୋଧ କରିଥିଲେ ସମାଜସେବୀମାନେ । ସାମାଜିକ ବାସନ୍ଦ ଭୟରେ ହଁ କହିବା ତ ଦୂରର କଥା ଘରୁ ବାହାରକୁ ମଧ୍ୟ କେହି ବାହାରିଲେ ନାହିଁ । ଶବ ପଡିଥିବାରୁ ସେତେବେଳ ପର୍ଯ୍ୟନ୍ତ ଗାଁରେ ରୋଷେଇ ମଧ୍ୟ ବନ୍ଦ ଥିଲା । ଶବ ସତ୍କାର କରିବା ପାଇଁ ଶ୍ମଶାନ ଘାଟକୁ ଯିବାକୁ କହିବାରୁ ମଧ୍ୟ କେହି ବାହାରିଲେ ନାହିଁ । ଶେଷରେ ଚାରି ଜଣ ସମାଜସେବୀ ସସମ୍ମାନେ ଖଟରେ ବୋହି ରାତ୍ରିରେ ମୋବାଇଲ ଲାଇଟ ସାହାଯ୍ୟରେ ପ୍ରାୟ ଏକ କିଲୋମିଟର ଦୂର ଶ୍ମଶାନ ଘାଟ ନଦୀ ପାଖକୁ ନେଇଥିଲେ । ସେଠାରେ ସମାଧି ଦେବା ପାଇଁ ଗାତ ଖୋଲାଯାଇଥିଲା ଓ ଶବକୁ ସମ୍ମାନ ସହ ସମାଧି ଦିଆ ଯାଇଥିଲା । ରାତ୍ରୀ ହୋଇ ଥିବାରୁ ତଳେ ସାପ, ବିଛା, ବିଷାକ୍ତ କୀଟ ପତଙ୍ଗକୁ ଯେତିକି ଭୟ ଥିଲା ତାଠାରୁ ଅଧିକ ଭୟ କିଛି ଦିନ ତଳେ ଅଞ୍ଚଳକୁ ଆସିଥିବା ଦୁଇ ଟିକିଆ ହାତୀ ପାଳକୁ ଆହୁରି ଭୟ ଥିଲା । ଭୟ ଥିଲେ ମଧ୍ୟ ଶବ ସମାଧି କାର୍ଯ୍ୟ ସମାପନ କରି ନିଜ ନିଜ ଘରକୁ ଫେରିଥିଲେ ସମାଜସେବୀ ମାନେ । ସମାଜସେବୀଙ୍କ କହିବା ମୁତାବକ ଜୀବିତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଏକ ଘରିଆ, ସାମାଜିକ ବାସନ୍ଦ କରିବା ନିୟମ ଉଲଂଘନ କରୁଥିଲେ ମଧ୍ୟ ଗୋଟିଏ ଶବକୁ ବାସନ୍ଦ କରିବା ନିଶ୍ଚିତ ଭାବେ ଦୁଃଖଦ ଏବଂ ନିନ୍ଦନୀୟ । ନିଶ୍ଚିତ ଭାବେ ମାନବିକତାକୁ ପଦାରେ ପକେଇ ଦେଇଛି ଏବଂ ଏଭଳିଆ ଘଟଣାର ପୁନରାବୃତ୍ତି ନହେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ।