jayashree

ବାଲିଗୁଡାରେ ଗ୍ରୀଷ୍ମ ପ୍ରବାହ ବଢୁଛି : ୪୨ ଡିଗ୍ରୀ ପାର କଲା ପାରଦ : ବିଦ୍ୟୁତର ଲୁଚକାଳି ଖେଳରେ ଜନ ଅସନ୍ତୋଷ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଦକ୍ଷିଣ ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବିଶେଷକରି ବାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ସୂର୍ଯ୍ୟଙ୍କ ପ୍ରକୋପ ଅସହ୍ୟ ହୋଇପଡ଼ିଛି । ଚଳିତ ସପ୍ତାହରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୨ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି । ସକାଳ ୮ଟା ବାଜିବା ମାତ୍ରେ ତାତି ଏତେ ବଢ଼ିଯାଉଛି ଯେ, ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି । ଏପରି ସ୍ଥଳେ ଦିନ ତମାମ ବିଦ୍ୟୁତର ଲୁଚକାଳି ଖେଳ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଅସହ୍ୟ ତାତି ଓ ଗରମ ପବନ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଯୋଗୁଁ ବାଲିଗୁଡାରେ ଲୁ’ର ପ୍ରଭାବ ଦେଖିବାକୁ ମିଳୁଛି । ଦ୍ଵିପ୍ରହର ସମୟରେ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ ହୋଇଯାଉଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହିପରି ପ୍ରବଳ ଗରମ ଜାରି ରହିବ ବୋଲି ଅନୁମାନ କରାଯାଉଛି । ପ୍ରବଳ ଖରା ଓ ଗରମ ଯୋଗୁଁ ସ୍ଥାନୀୟ ବ୍ୟବସାୟ ଓ ଦୈନିକ ମଜୁରିଆଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି । ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଲୋକମାନେ ଛତା, ଠେକା ଏବଂ ପ୍ରଚୁର ପାଣି ବ୍ୟବହାର କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଜରୁରୀ କାର୍ଯ୍ୟ ନଥିଲେ ଦ୍ଵିପ୍ରହର ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଖରାରେ ବାହାରକୁ ନ’ବାହାରିବା ପାଇଁ ଅନୁରୋଧ କରାଯାଇଛି । ଏହା ସହିତ ଶରୀରକୁ ସୁସ୍ଥ ରଖିବା ପାଇଁ ଅଧିକ ପରିମାଣରେ ପାଣି, ଦହି, ତୋରାଣି ଏବଂ ଓଆରଏସ ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.