jayashree

ବଡ଼ଟିକାରେ ଜଳ ସଙ୍କଟ : ପ୍ରକଳ୍ପ କାମ ଅଧାପନ୍ତରିଆ କରି ଠିକାଦାର ଛୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଡ଼ଟିକାରେ ଘୋର ଜଳ ସଙ୍କଟ ଦେଖିବାକୁ ମିଳିଛି । ପରିସ୍ଥିତି ଯେତେ ବି ଗମ୍ଭୀର ହେଉ ଲୋକେ ପୋଖରୀର ଗୋଳିଆ ପାଣିକୁ ଭରଷା କଲେଣି । ୫ ୱାର୍ଡ ବିଶିଷ୍ଟ ବଡ଼ଟିକା ଗାଁର ଜନସଂଖ୍ୟା ୪୫୦୦ ଉପରେ ହେବ । ଏତେ ଲୋକଙ୍କ ପାଇଁ ଗାଁରେ ୨ଟି ମାତ୍ର ନଳକୂଅ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ । ରାତି ୩ଟାରୁ ଲୋକେ ନଳକୂଅରେ ଲମ୍ବାଲାଇନ ଲାଗୁଥିବା ଦେଖିବାକୁ ମିଳିଛି । ଦିନରାତି ଅହରହ ଚାଲୁଥିବାରୁ ନଳକୂଅରୁ କମ୍‌ ପାଣି ବାହାରୁଛି । ଯଦ୍ୱାରା ବାଧ୍ୟ ହୋଇ ପୋଖରୀର କାଦୁଅ ପାଣି ବ୍ୟବହାର କରୁଥିବା ଗ୍ରାମବାସୀ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗ୍ରାମର ଜଳ କଷ୍ଟ ଦୂର କରିବାକୁ ଜଳ ଓ ପରିମଳ ବିଭାଗ ପକ୍ଷରୁ ଗାଁ ମୁଣ୍ଡରେ ଏକ ଓଭର ହେଡ଼ ଟାଙ୍କି ନିର୍ମାଣ କରାଯାଇଛି । ପାଇପ ପୋତା କାମ ବି ସରିଛି । ହେଲେ ଠିକାଦାରର ମନମାନି ଯୋଗୁଁ ୨ ବର୍ଷ ଉପରେ ହେଲାଣି ନିର୍ମାଣ କାମ ସରିପାରୁ ନାହିଁ । ମନ୍ଥର ଗତିରେ ଠିକାଦାର କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁର ବନ୍ଧ ପୋଖରୀ ଗୁଡିକ ମଧ୍ୟ ଶୁଖିବାକୁ ବସିଲାଣି । ଗ୍ରୀଷ୍ମ ପ୍ରବାହ ଆହୁରି ୨ମାସ ଜାରି ରହିବ । ଏଭଳି ସ୍ଥିତିରେ ପାଣି ସମସ୍ୟା ଆହୁରି ଗମ୍ଭୀର ହେବ ବୋଲି ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୁତିଭୂଷଣ ସାମଲଙ୍କୁ ଫୋନ କରି ଯୋଗାଯୋଗ କରାଯିବାରୁ ସେ ଫୋନ ଉଠାଇ ନଥିଲେ । ପ୍ରଶାସନ ତୁରନ୍ତ ପ୍ରକଳ୍ପକୁ ସମ୍ପୂର୍ଣ କରିବାକୁ ଓ ବର୍ତ୍ତମାନ ଗ୍ରାମର ପାଣି ସମସ୍ୟାକୁ ଦୃଷ୍ଟିଦେଇ ଜଳ ଯୋଗାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

Leave A Reply

Your email address will not be published.