
ବଲାଙ୍ଗିର, (କେପିଏନ୍ଏସ୍) : ତରଭା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ଠାରେ ୧୧(ଓ)ବିଏନ ଏନସିସି, ବଲାଙ୍ଗିର ତରଫରୁ ୧୦ ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏନ୍ସିସି ସେକେଣ୍ଡ ଅଫିସର ସୌମ୍ୟାଶ୍ରୀ ସାହୁଙ୍କ ତତ୍ୱାବଧାନରେ ୩୬ଜଣ କ୍ୟାଡେଟ ଏହି ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ । ଏହି ତାଲିମ ଶିବିରରେ ଛାତ୍ରୀମାନେ ଶୃଙ୍ଖଳା, ନେତୃତ୍ୱ ଓ ଦେଶପ୍ରେମ ବିଷୟରେ ଶିକ୍ଷା ଲାଭ କରିବା ସହ ପ୍ୟାରେଡ଼, ଶାରୀରିକ ବ୍ୟାୟାମ, ଯୋଗାଭ୍ୟାସ, ଡ୍ରିଲ ଓ ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ । ଏହା ସହ ଦଳୀୟ କାର୍ଯ୍ୟ, ସ୍ୱଚ୍ଛତା ଓ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ମଧ୍ୟ ଏହି ତାଲିମ ଶିବିରରେ ଶିକ୍ଷା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର କ୍ୟାଡେଟ ପ୍ରିୟାଂଶି ପ୍ରିୟଦର୍ଶିନୀ ଦାଶ ବକ୍ତୃତା ପ୍ରତିଯୋଗିତା ଶୀର୍ଷକ “ସଶସ୍ତ୍ର ବାହିନୀରେ ମହିଳାଙ୍କ ଅଂଶଗ୍ରହଣ : ହଁ କି ନାଁ”ରେ ନିଜର ସୁନ୍ଦର ଉପସ୍ଥାପନା, ସ୍ପଷ୍ଟ ଉଚ୍ଚାରଣ ଓ ଆତ୍ମବିଶ୍ୱାସ ପୂର୍ଣ୍ଣ ବକ୍ତବ୍ୟ ମାଧ୍ୟମରେ ବିଚାରକ ମାନଙ୍କ ମନ ଜିତି ପ୍ରଥମ ସ୍ଥାନ ଅଧିକାର କରି କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ଅମିତାଭ ବେନର୍ଜିଙ୍କ ଠାରୁ ୩ଶହ ଟଙ୍କା ଅର୍ଥରାଶି ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ବିଦ୍ୟାଳୟର କ୍ୟାଡେଟ ଦମୟନ୍ତୀ ଖୁଆସ ବକ୍ତୃତା ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶୁଭଶ୍ରୀ ନାଏକ ଉତ୍ତମ ନୃତ୍ୟ ପ୍ରଦର୍ଶନ କରି ବିଚାରକ ମାନଙ୍କ ଠାରୁ ପ୍ରଶଂସା ସାଉଁଟି ଥିଲେ । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି ।