
ଜୟପାଟଣା, (ଶେଷଦେବ ବେହେରା) : ସର୍ବ ଭାରତୀୟ ଔଷଧ ସଂଘର ଡାକରା ତଥା ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଳା ସଂଘ ଅନ୍ତର୍ଗତ ଜୟପାଟଣା କେମିଷ୍ଟ୍ ସଂଘର ସମସ୍ତ ଔଷଧ ଦୋକାନୀ ଦୋକାନ ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଥିବା ସୂଚନା ମିଳିଛି । ଫଳରେ ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରୋଗୀ ସେବା ପ୍ରଭାବିତ ହେବାର ପରିଲକ୍ଷିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଅଲଇଣ୍ଡିଆ ଅର୍ଗାନାଇଯେସନ ପକ୍ଷରୁ ଦେଶବ୍ୟାପି ମେଡିକାଲ ଷ୍ଟୋରମାନଂକ ପାଇଁ ବନ୍ଦ ଡାକରା ଦିଆଯାଇଥିଲା । ଅନ୍ଲାଇନ ଔଷଧ ବିତରଣରେ ଔଷଧର ମାନ ହ୍ରାସ ସହିତ ବର୍ତ୍ତମାନର ବିତରଣ ବ୍ୟବସ୍ଥାରେ କର୍ପୋରେଟ ହାତକୁ ବ୍ୟବସାୟ ଚାଲିଯିବା ଆଶଙ୍କା କରାଯାଉଥିବା ବେଳେ ରାଜ୍ୟର ଲକ୍ଷ ଲକ୍ଷ ଔଷଧ ବ୍ୟବସାୟୀ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଔଷଧ ଦୋକାନ ବନ୍ଦ ଥିବାରୁ ଅନେକ ରୋଗୀ ପ୍ରଭାବିତ ହୋଇ ଅସୁବିଧାର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଥିଲା । ଏ ସଂକ୍ରାନ୍ତରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ଆମର ଔଷଧ ବିତରଣ ଏବଂ ଆଭ୍ୟନ୍ତରୀଣ ବ୍ୟବସ୍ଥା ସ୍ଵାଭାବିକ ଅଛି ବୋଲି ପ୍ରକାଶ କରିଥଲେ ।