
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ମନ୍ଦିର ପରିସରରେ ସାବିତ୍ରୀ ବ୍ରତ ମହାସମାରୋହରେ ପାଳନ ହୋଇଯାଇଛି । ଶନିବାର ସାବିତ୍ରୀ ଅମାବାସ୍ୟା ଅବସରରେ ମା’ ପାଟଖଣ୍ଡା “ସାବିତ୍ରୀ ବେଶ”ରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସାବିତ୍ରୀ ଅମାବାସ୍ୟା ବ୍ରତ ଯୋଗୁଁ କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ଭକ୍ତମାନେ ଆସି ମା’ଙ୍କ ଦର୍ଶନ କରିଥିଲେ । ପ୍ରତ୍ୟୁଷରୁ ମା’ଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମା’ଙ୍କର ଏହି ଦୁର୍ଲଭ ବେଶକୁ ଦେଖିବା ପାଇଁ ପ୍ରତ୍ୟୁଷରୁ ରାତ୍ର ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ । ଏନେଇ ମନ୍ଦିର ପରିଚାଳନା କମିଟି ଓ କେତେକ ଭକ୍ତଙ୍କ ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟ, ପୂଜକ ତଥା ଭକ୍ତମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।