
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲାର ଖମ୍ବେଶ୍ୱରୀପାଲି ଠାରେ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି । ଏକ ପେଟ୍ରୋଲ ପମ୍ପ ମାଲିକଙ୍କ ଗୋଦାମରେ ବେଆଇନ ଭାବେ ଚାଲିଥିବା କିରୋସିନ ଅପମିଶ୍ରିତ ଡିଜେଲ କଳାକାରବାରର ପର୍ଦ୍ଦାଫାଶ କରିଛି ପ୍ରଶାସନ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଏବେ ସାରା ବିଶ୍ୱ ତଥା ଭାରତ ବର୍ତ୍ତମାନ ତୈଳ ସଙ୍କଟ ଦେଇ ଗତି କରୁଛି । ଏହାର ପ୍ରଭାବ ଓଡ଼ିଶା ତଥା ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଅନୁଭୂତ ହେଉଥିବା ବେଳେ ତୈଳ ଅଭାବରୁ କିଛି ପେଟ୍ରୋଲ ପମ୍ପ ବନ୍ଦ ଅଥବା କମ ପରିମାଣର ତେଲ ଦେଉଥିବା ଦେଖିବାକୁ ମିଳୁଛି । ପେଟ୍ରୋଲ ଓ ଡିଜେଲ ସଙ୍କଟର ସୁଯୋଗ ନେଇ ସୋନପୁର ବଲାଙ୍ଗିର ଏନ୍ଏଚ୍-୫୭ କଡ଼ରେ ଖମ୍ବେଶ୍ୱରୀ ପାଲି ଠାରେ ଥିବା ନାୟାରା ପେଟ୍ରୋଲ ପମ୍ପ ମାଲିକ ମନୋଜ ସାହୁଙ୍କ ଗୋଦାମରେ ବେଆଇନ ଭାବେ ଚାଲିଥିବା କଳାକାରବାରର ପର୍ଦ୍ଦାଫାଶ କରିଛି ପ୍ରଶାସନ । ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ, ପୁଲିସ ବିଭାଗର ମିଳିତ ସହଯୋଗରେ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୮୯୦ ଲିଟର ବେଆଇନ କିରୋସିନ ଜବତ କରାଯାଇଛି । କିରୋସିନ ସହ ଅନ୍ୟ କିଛି ମିଶାଇ ଡିଜେଲ ସହ ବିକ୍ରି କରାଯାଉଥିବା ସୂଚନା ମିଳିଛି । ସୂଚନା ପାଇ ଜିଲା ଯୋଗାଣ ବିଭାଗ ଶୁକ୍ରବାର ପୋଲିସ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଖମ୍ବେଶ୍ୱରୀପାଲିର ବ୍ୟବସାୟୀ ମନୋଜ କୁମାର ସାହୁଙ୍କ ଗୋଦାମରେ ଚଢ଼ାଉ କରିଥିଲେ । ଉକ୍ତ ଗୋଦାମରୁ ୩ଟି ପ୍ଲାଷ୍ଟିକ୍ ଟାଙ୍କିରେ ୮୯୦ ଲିଟର ଅପମିଶ୍ରିତ କିରୋସିନ ଓ ଲୋଡିଂ ଅନଲୋଡିଂ ପାଇଁ ଏକ ମୋଟର ଓ ପ୍ଲାଷ୍ଟିକ୍ ପାଇପ୍ ଠାବ ହୋଇଥିଲା । ସେପଟେ ଦୀର୍ଘଦିନ ହେବ ଏଠାରେ ତୈଳ ଅପମିଶ୍ରଣ କାରବାର ଚାଲିଥିବା ଜଣାପଡିଛି । ସେହିପରି ସେଠାରେ ବେଆଇନ ଭାବରେ ଗଚ୍ଛିତ ଥିବା ବାଲି ଏବଂ ଦୁଇଟି ହାଇୱାକୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଇଛି । ସେହି ଗୋଦାମ ପରିସରରେ କବାଡି ଖାନା ମଧ୍ୟ ଠାବ ହୋଇଥିବା ବେଳେ ଏକ ମିକ୍ସ ପାଟ ତିଆରି ହେଉଥିବା ଫ୍ୟାକ୍ଟ୍ରି ଥିବା ଦେଖାଯାଇଛି । ଏହା ଅସଲି ନା ନକଲି ଟ୍ୟାକ୍ସ ଟାଇଲ ବିଭାଗ ତଦନ୍ତ କଲେ ଜଣାପଡିବ । ପୁଣି ମାଲିକଙ୍କ ପେଟ୍ରୋଲ ପମ୍ପକୁ ଲାଗି ଏକ ଇଣ୍ଡିଆନ ଗ୍ୟାସ୍ର ଗୋଦାମ ଥିବା ବେଳେ ଚଢ଼ା ଦରରେ ଗ୍ୟାସ ହୋମ ଡେଲିଭରି କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଶ୍ରୀ ସାହୁଙ୍କ ପେଟ୍ରୋଲ ପମ୍ପ ଏବଂ ଗ୍ୟାସ ଗୋଦାମ ମାତ୍ର ୨୦ ମିଟର ଦୂରତାରେ ଗଢି ଉଠିଥିବା ଦେଖିବାକୁ ମିଳିଛି । ଏହି ଚଢାଉରେ ସୋନପୁର ଉପଜିଲାପାଳ ଡ. ସୌମ୍ୟରୂପା ରଥ, ଜିଲା ଯୋଗାଣ ଅଧିକାରୀ କେଦାରନାଥ ନାୟକ, ମାଜିଷ୍ଟ୍ରେଟ୍ ଭାବରେ ସୋନପୁର ଅତିରିକ୍ତ ତହସିଲଦାର ଯୋଗେଶ୍ଵର ଧରୁଆ, ସହକାରୀ ଯୋଗାଣ ଅଧିକାରୀ ରେବତୀ ସିଂ ନାୟକ, ସୋନପୁର ସଦର ଆଇଆଇସି ଯାଦବ ବାଗ, ସୋନପୁର ବ୍ଲକ ଯୋଗାଣ ନିରୀକ୍ଷକ ପ୍ରତ୍ୟାଶା ମିଶ୍ର ଓ ଉଲୁଣ୍ଡା ବ୍ଲକ ଯୋଗାଣ ନିରୀକ୍ଷକ ଦେବାଶିଷ ତ୍ରିପାଠୀ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ଚଢାଉ ସମୟରେ ଗୋଦାମ ମାଲିକ କୁଆଡ଼େ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଥିବା ବେଳେ କୌଣସି କାଗଜପତ୍ର ମଧ୍ୟ ଦେଖାଇ ପାରି ନ ଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବା ସହ ସମସ୍ତ ନ ଜିନିଷକୁ ଜବତ କରାଯାଇ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ୧୯୫୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏବଂ ଟେଷ୍ଟିଂ ପାଇଁ ଲ୍ୟାବକୁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଏବଂ ଟେଷ୍ଟିଂ ପାଇଁ ଲ୍ୟାବକୁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।