csstore

ନକଲି ଖାଦ୍ୟ ସାମଗ୍ରୀ କାରଖାନା ସିଲ୍ ଓ ମାଲିକ ଫେରାର

ବରଗଡ, (ମୁନ୍ନା ସାହୁ) : ପଶ୍ଚିମ ଓଡ଼ିଶାବାସୀ ସାବଧାନ । ଏବେ ପଶ୍ଚିମ ଓଡ଼ିଶାର ବଜାରରେ ମଳୁଛି ପେପର୍‌ରୁ ନିର୍ମାଣ ହେଉଥିବା ଚୁଡ଼ା, ପୋଡ଼ା ମୋବିଲ୍‌ରୁ ନିର୍ମାଣ ହେଉଥିବା ଖାଇବା ତେଲ । ଆଉ ଏବେ ଏହାର ପର୍ଦ୍ଦାଫାଶ କରିଛି ପୋଲିସ । ବିଭିନ୍ନ ପ୍ରକାରର ନକଲି ଚକଲେଟ, ବିସ୍କୁଟ, ମୃଦୁ ପାନୀୟ, ଖାଇବା ତେଲ, ଚୁଡ଼ା ଆଦି ତିଆରି କରି ବଜାରରେ ବିକ୍ରି କରି ମୁନାଫା କମାଉଥିଲେ । ବରଗଡ ଜିଲ୍ଲା ବରପାଲି ସାପ୍ତାହିକ ବଜାର ରାସ୍ତାରେ ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ନିର୍ମିତ କୋଠାରେ ଏହା ସବୁ ତିଆରି ହୋଇ ବଜାରକୁ ଯାଉଥିଲା । ଜିଲ୍ଲା ପ୍ରଶାସନ କୌଣସି ସୂତ୍ରରୁ ଖବର ପାଇ ଆଜି ଉକ୍ତ ନକଲି ଖାଦ୍ୟ ସାମଗ୍ରୀ ନିର୍ମାଣ କାରଖାନା ଉପରେ ଚଢ଼ାଉ କରି ପ୍ରସ୍ତୁତ ହୋଇ ବଜାରକୁ ବିକ୍ରି ପାଇଁ ଯିବାକୁ ଥିବା ବିପୁଳ ପରିମାଣର ସାମଗ୍ରୀ, ଏହା ପ୍ରସ୍ତୁତ ପାଇଁ ଆବଶ୍ୟକ ଯନ୍ତ୍ରପାତି, କଞ୍ଚାମାଲକୁ ଜବତ କରିଛନ୍ତି । ପେପର୍‌ରୁ ଚୁଡ଼ା ନିର୍ମାଣ କରାଯାଉଥିବା ବେଳେ, ପୋଡ଼ା ମୋବିଲ୍‌ରୁ ଖାଇବା ତେଲ ଆଦି ପ୍ରସ୍ତୁତ ହେଉଥିବା ଜଣାପଡିଛି । ମାଲିକ ଘରର କବାଟ ଖୋଲୁ ନ ଥିବାରୁ ତାଙ୍କ ବାସଗୃହକୁ ପୋଲିସ ଘେରି ରହିଥିବା ବେଳେ ପ୍ରସ୍ତୁତ କାରଖାନାକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି । ଆଜିର ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଭାବରେ ବରପାଲି ତହସିଲଦାର ରୁକ୍ମଣ ମେହେର, ପୋଲିସ ଇନ୍ସପେକ୍ଟର ପ୍ରମୋଦ କୁମାର ସାହୁ, ବରଗଡ ଟାଉନ ଥାନା ଇନ୍ସପେକ୍ଟର ଚିତ୍ତରଞ୍ଜନ ମେହେର, ବରଗଡ଼ ଫୁଡ୍ ଇନ୍ସପେକ୍ଟର ପରମେଶ୍ୱର ନାୟକ, ସାନିଟାରୀ ଇନ୍ସପେକ୍ଟର ତେଜଭାନୁ ସାହୁ, ବରଗଡ଼ ଏମ୍‌ଟିସି ସୁଜିତ୍ ମଲ୍ଲିକଙ୍କ ସମେତ ବହୁ ପୋଲିସ ଷ୍ଟାପ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.